ପୁଞ୍ଜିଲାଲ ମେହେର ଜାମିନ୍‌ ଆବେଦନ ମାମଲା: ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୪ା୪: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ହୋଇଛି। ପୁଞ୍ଜିଲାଲ ପିଏଚ୍‌ଡି ଥେସିସ ଦାଖଲ କରିବା ନିମନ୍ତେ ୩ ମାସ ଜାମିନରେ ଯିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଏହି ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏ ବାବଦରେ ରିପୋର୍ଟ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ମାସ ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୋଲିସ ଫେବୃୟାରୀ ୨୩ ତାରିଖରେ ଏକ ମାମଲା ରୁଜୁ କରିଥିଲା। ମାମଲାକୁ ମାର୍ଚ୍ଚ ୨୩ରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ହାଇକୋର୍ଟରେ ସେ ନିୟମିତ ଜାମିନ ଆବେଦନ କରିଥିଲେ। ପୁଞ୍ଜିଲାଲଙ୍କ ଜାମିନ ଆବେଦନ ୨୦୧୯ ମାର୍ଚ୍ଚ ୨୫ ଓ ୨୦୨୨ ଜୁଲାଇ ୨୨ରେ ଖାରଜ ହୋଇଥିଲା। ପୁଣି ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ଲୋଡ଼ି ଏକ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଦାଖଲ କରିଥିବା ବେଳେ ଶୁଣାଣି ହୋଇ ପାରି ନ ଥିଲା।