Categories: Home Leftଖେଳ

ଲଗାତର ପଞ୍ଚମ ପରାଜୟ: ପ୍ଲେଅଫ୍‌ରେ ପହଞ୍ଚିବା ବଢ଼ିଲା ଚିନ୍ତା…

ଧର୍ମଶାଳା,୧୫ା୫: ପିଛା ଛାଡ଼ୁନି ପରାଜୟ। ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ପରେ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମ ୭ ମ୍ୟାଚ୍‌ ପର୍ଯ୍ୟନ୍ତ ଅପରାଜିତ ରହିଥିବା ପଞ୍ଜାବ ଲାଗି ଏହା ଲଗାତର ପଞ୍ଚମ ପରାଜୟ। ପଞ୍ଜାବକୁ ପ୍ଲେଅଫ୍‌ରେ ପ୍ରବେଶ କରିବା ପାଇଁ ତା’ର ବଳକା ଦୁଇ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଏହି ବିଜୟ ସହ ଯଶପ୍ରୀତ ବୁମରାଙ୍କ ଆଇପିଏଲ୍‌ ନେତୃତ୍ୱ କ୍ୟାରିୟର ଆରମ୍ଭ ହୋଇଛି।

ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରିୟାଂଶ ଆର୍ଯ୍ୟା (୨୨) ଓ ପ୍ରଭସିମରନ ସିଂଙ୍କ ଓପନିଂ ଯୋଡ଼ି ଅର୍ଦ୍ଧଶତକୀୟ ଆରମ୍ଭ ଦେଇଥିଲା। ନଂ.୩ରେ ଆସିଥିବା କୁପର କନୋଲିଙ୍କ ସହ ପ୍ରଭସିମରନ ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡ଼ିଥିଲେ। ଶାର୍ଦ୍ଦୁଳ ଠାକୁର ୧୨ତମ ଓଭରରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ପ୍ରଭସିମରନ (୫୭ ରନ, ୩୨ ବଲ, ୬ ଚୌକା ଓ ୪ ଛକା)ଙ୍କୁ ଆଉଟ୍‌ କରିବା ପରେ ପଞ୍ଜାବର ମିଡିଲ୍‌ ଅର୍ଡର ତାସଘର ଭଳି ଭୁଷୁଡ଼ି ପଡ଼ିଥିଲା। ଏକଦା ୧୧ ଓଭର ସୁଦ୍ଧା ୧୦୭/୧ ସ୍କୋର କରିଥିବା ପଞ୍ଜାବ ୧୬.୨ ଓଭରରେ ୧୪୦ ରନରେ ୭ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶେଷ ଆଡ଼କୁ ଅଜମାତୁଲା ଓମାରଜାଇ ୧୭ ବଲରେ ବିସ୍ଫୋରକ ୩୮ (୨ ଚୌକା ଓ ୪ ଛକା), ବିଷ୍ଣୁ ବିନୋଦ ୭ ବଲରେ ୧୫ ଓ ଜାଭିଅର ବାର୍ଟଲେଟ୍‌ ୭ ବଲରେ ୧୮ (୨ ଚୌକା ଓ ୧ ଛକା) ରନ କରିଥିଲେ। ଫଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୦ ରନ କରିଥିଲା।

ମୁମ୍ବାଇ ପାଇଁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ଦୀପକ ଚହର ୨ଟି ଉଇକେଟ ହାତେଇଥିଲେ। ଜବାବରେ ମୁମ୍ବାଇ ପାଇଁ ରିୟାନ ରିକଲଟନ (୪୮ ରନ, ୨୩ ବଲ, ୪ ଲେଖାଏ ଚୌକା ଓ ଛକା) ଓ ରୋହିତ ଶର୍ମା (୨୫) ୬.୩ ଓଭରେ ୬୧ ରନ କରି ଦୃଢ଼ ମୂଳଦୁଆ ପକାଇଥିଲେ। ନମନ ଧିର (୯) ବିଫଳ ହୋଇଥିବା ଶେରଫାନେ ରଦରଫୋର୍ଡ (୨୦)ଙ୍କ ସହ ତିଲକ ବର୍ମା ମିଶି ତୃତୀୟ ଉଇକେଟରେ ୪୨ ବଲରେ ୬୧ ଯୋଡ଼ିଥିଲେ। ଏହାପରେ ଓ୍ବିଲ ଜ୍ୟାକ୍ସ (୨୫)ଙ୍କ ସହ ତିଲକ ଦଳକୁ ଜିତାଇଥିଲେ। ମୁମ୍ବାଇ ୧୯.୫ ଓଭରରେ ୪ ଉଇକେଟ ହରାଇ ୨୦୫ ରନ କରିଥିଲା। ତିଲକ ୩୩ ବଲରେ ୭୫ (୬ ଲେଖାଏ ଚୌକା ଓ ଛକା) ରନ କରି ଅପରାଜିତ ରହିଥିଲେ।

Share