ଦୁର୍ଘଟଣାରେ ଚାଲିଗଲା ଲୋକପ୍ରିୟ ଅଭିନେତାଙ୍କ ଜୀବନ

ଚଣ୍ଡିଗଡ଼,୧୫।୨: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ମଙ୍ଗଳବାର ସେ ନିଜ ବନ୍ଧୁମାନଙ୍କ ସହ ସ୍କର୍ପିଓରେ ଦିଲ୍ଲୀରୁ ପଞ୍ଜାବ ଫେରୁଥିଲେ। ସିଙ୍ଘୁ ସୀମା ନିକଟ କୁଣ୍ଡଳି ମାନସର ରାଜପଥରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା।

କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ସମୟରେ ସେ ଚର୍ଚ୍ଚାକୁ ଆସିଥିଲେ। ଜାନୁୟାରୀ ୨୬ରେ ଲାଲ୍‌କିଲାରେ ହୋଇଥିବା ହିଂସା ଘଟଣାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା। ଏବେ ଦୀପଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ପଞ୍ଜାବୀ ସିନେମାଜଗତରେ ଶୋକର ଛାୟା ଖେଲିଯାଇଛି। ଏଥିସହ ତାଙ୍କର ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି।

Share