Categories: ଜାତୀୟ

‘ପଞ୍ଜାବରେ ଭାଜପା ସହ ମିଶି ସରକାର କରିବୁ’

ଚଣ୍ଡିଗଡ଼, ୨୯।୧୧: ଭାଜପା ଏବଂ ଅକାଳୀ ଦଳର ଗୋଟିଏ ଗୋଷ୍ଠୀ ସହ ମିଶି ପଞ୍ଜାବରେ ପରବର୍ତ୍ତୀ ସରକାର ଗଢ଼ିବୁ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ସହ ହଠାତ୍‌ ବୈଠକରେ ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।

ଏହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ୍‌ ଥିଲା। ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ଅମରିନ୍ଦର କହିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସରେ କୌଣସି ବଡ଼ ନେତା ଯୋଗଦେବେ କି ବୋଲି ପ୍ରଶ୍ନର ଉତ୍ତରରେ ଅମରିନ୍ଦର କହିଥିଲେ, ଅପେକ୍ଷା କର। ସବୁ ଠିକ୍‌ଠାକ୍‌ ଚାଲିଛି ଓ ଦଳର ସଭ୍ୟସଂଗ୍ରହ ଅଭିଯାନ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ କ୍ଷମତା କନ୍ଦଳ କାରଣରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ। କୃଷି ଆଇନ ପ୍ରତ୍ୟାହାର ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ଦିନ ସେ ଖଟ୍ଟାରଙ୍କୁ ଭେଟିଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଅମରିନ୍ଦର ଦିଲ୍ଲୀ ଯାଇ ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। କୃଷି ଆଇନ ରଦ୍ଦ ଲାଗି ବିଲ୍‌ ଗୃହୀତ ହୋଇଯାଇଛି। ଚାଷୀମାନଙ୍କର ଆଉ ୬/୭ଟି ଦାବି ସମ୍ପର୍କରେ ବିଚାର କରିବାକୁ ସରକାର ରାଜି ହୋଇଛନ୍ତି। ତେଣୁ ସେମାନଙ୍କର ଆଉ କୌଣସି ପ୍ରସଙ୍ଗ ନାହିଁ ବୋଲି ଅମରିନ୍ଦର କହିଥିଲେ।

Share