ଗୁରୁଗ୍ରାମ,୧୧ା୫(ପି.ଟି.): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗୁରୁଗ୍ରାମର ଏକ ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ୭ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି। ୧୦୦ କୋଟି ଟଙ୍କା ଜିଏସ୍ଟି ଜାଲିଆତି ସହ ଜଡ଼ିତ ମନିଲଣ୍ଡରିଂ ଅଭିଯୋଗକୁ ଅଦାଲତ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଏଥିପାଇଁ ଆରୋରାଙ୍କୁ ଜେରା କରିବାର ଆବଶ୍ୟକତା ଥିବାରୁ ୭ ଦିନ ଇଡି ରିମାଣ୍ଡରେ ପଠାଇଛନ୍ତି। ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ଆରୋରାଙ୍କ ପକ୍ଷରୁ ତାଙ୍କ ଓକିଲ ଉପସ୍ଥିତ ରହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହିବା ସହ ମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲେ। ଆରୋରାଙ୍କୁ ଗିରଫ କରିବା ପୂର୍ବରୁ ତଦନ୍ତକାରୀ ଅଫିସର ପ୍ରାଥମିକ ଅନୁଧ୍ୟାନରୁ କୌଣସି ତଥ୍ୟ ପ୍ରମାଣ ପାଇ ନ ଥିଲେ ବୋଲି ଆଇନଜୀବୀ କହିଥିଲେ।
ମନିଲଣ୍ଡରିଂ ମାମଲାରେ ଆରୋରାଙ୍କ ସହ ଅନେକ ସଂସ୍ଥା ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। ଶନିବାର ସକାଳେ ଇଡି ଅଧିକାରୀମାନେ ଆରୋରାଙ୍କ ଚଣ୍ଡିଗଡ଼ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିବା ପରେ ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍ଏଲ୍ଏ) ବଳରେ ତାଙ୍କୁ ଗିରଫ କରି ହାଜତକୁ ନେଇଥିଲା। ଇଡି ଉତ୍ତର ଭାରତର ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ସେଥିରୁ ଦିଲ୍ଲୀରେ ଦୁଇଟି ସ୍ଥାନ ଏବଂ ଗୁରୁଗ୍ରାମରେ ଥିବା ହାମ୍ପଟନ୍ ସ୍କାଏ ରିଏଲିଟି ଲିଃ କମ୍ପାନୀ ରହିଛି। ପିଏମ୍ଏଲ୍ଏର ଆପରାଧିକ ଧାରାରେ ଇଡି ନୂଆ ମାମଲା ରୁଜୁ କରିବା ପରେ ଚଢ଼ାଉ କରିଥିଲା।