Categories: ଖେଳ

ଆଇପିଏଲ୍‌ ଅଧାରୁ ଛାଡି ପଳାଇଲେ ‘ୟୁନିଭର୍ସ ବସ୍‌’: ଜାଣନ୍ତୁ କାହିଁକି

ଦୁବାଇ,୧।୧୦: ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସକୁ ଏକ ବଡ଼ ଝଟ୍‌କା ଲାଗିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଜିର ମ୍ୟାଚ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଆଇପିଏଲରୁ ଓହରି ଯାଇଛନ୍ତି। ବାୟୋ-ବବଲ ଥକ୍କା କାରଣରୁ ସେ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। କାରିବିଆନ ପ୍ରିମିୟର ଲିଗ ଖେଳିବା ପରେ ସିଧାସଳଖ ଆଇପିଏଲରେ ଭାଗ ନେବାକୁ ଗେଲ ୟୁଏଇକୁ ଆସିଥିଲେ।
ଆଇପିଏଲ ଛାଡିବା ପରେ ଗେଲ କହିଛନ୍ତି ଯେ ଟି -୨୦ ବିଶ୍ୱକପ ପୂର୍ବରୁ ସେ ନିଜକୁ ମାନସିକ ସ୍ତରରେ ସତେଜ କରିବାକୁ ଚାହୁଁଛନ୍ତି। ଗେଲ ଚଳିତ ବର୍ଷ ଜୁନ ଠାରୁ ବାୟୋ-ବବୁଲରେ ଥିଲେ। ପ୍ରଥମେ ଘରୋଇ ସିରିଜ (ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ବିପକ୍ଷରେ ୧୪ ଟି -୨୦ ଅନ୍ତର୍ଭୁକ୍ତ) ଏବଂ ପରେ କାରିବିଆନ ପ୍ରିମିୟର ଲିଗ (ସିପିଏଲ) ଏବଂ ଏବେ ଆଇପିଏଲ ଖେଳୁଥିଲେ। ଗେଲ ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ମୁଁ ୱେଷ୍ଟଇଣ୍ଡିଜ, କାରିବିଆନ ପ୍ରିମିୟର ଲିଗ ଏବଂ ପରେ ଆଇପିଏଲର ବାୟୋ-ବବୁଲରେ ଥିଲି। ମୁଁ ନିଜକୁ ମାନସିକ ସ୍ତରରେ ସତେଜ କରିବାକୁ ଚାହେଁ। ମୁଁ ଟି -୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ସାହାଯ୍ୟ କରିବା ଏବଂ ଦୁବାଇରେ ବିରତି ନେବାକୁ ଚାହୁଁଛି। ମୋତେ ସମୟ ଦେଇଥିବାରୁ ପଞ୍ଜାବ କିଙ୍ଗ୍ସକୁ ଧନ୍ୟବାଦ।ମୋର ଇଚ୍ଛା ଏବଂ ଆଶା ସବୁବେଳେ ଦଳ ସହିତ ଥାଏ। ଆଗାମୀ ମ୍ୟାଚ ପାଇଁ ଦଳକୁ ଶୁଭେଚ୍ଛା।
ବାୟୋ-ବବୁଲ କାରଣରୁ ଗତ କିଛି ମାସ ମଧ୍ୟରେ କ୍ରିକେଟରୁ ବିରତି ନେବାରେ ଗେଲ ପ୍ରଥମ ଖେଳାଳି ନୁହଁନ୍ତି। ତାଙ୍କ ପୂର୍ବରୁ ବେନ ଷ୍ଟୋକ୍ସ ମଧ୍ୟ ମାନସିକ ଚାପ ଦର୍ଶାଇ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ।

Share