ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ବିଶେଷ କରି ସୋସିଆଲ ମିଡିଆ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ପଦକ୍ଷେପ ନିଆଯାଇଛି।
ରିପୋର୍ଟ ଅନୁଯାୟୀ, ପଞ୍ଜାବ କିଙ୍ଗସର ଷ୍ଟାର ବୋଲର ଅର୍ଶଦୀପ ସିଂହଙ୍କୁ କିଛି ଦିନ ପାଇଁ ବ୍ଲଗିଂ (Vlogging) ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅର୍ଶଦୀପ ପ୍ରାୟତଃ ଏୟାରପୋର୍ଟ, ହୋଟେଲ ଏବଂ ବିମାନ ଭିତରେ ଭିଡିଓ ଶୁଟ କରିଥାନ୍ତି। ନିକଟରେ ତାଙ୍କର ଏକ ଭିଡିଓରେ ଯୁଜବେନ୍ଦ୍ର ଚହଲ ‘ଭ୍ୟାପିଙ୍ଗ’ (Vaping) କରୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା।
ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ନିଜର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପରିବାର ସଦସ୍ୟଙ୍କୁ କୌଣସି ପ୍ରକାରର ଭିଡିଓ ପୋଷ୍ଟ କରିବାକୁ ବାରଣ କରିଛି। BCCI ର ସୂଚନା ଅନୁଯାୟୀ, ’ହନି ଟ୍ରାପ’ ଭଳି ବିପଦକୁ ଦୃଷ୍ଟିରେ ରଖି ହୋଟେଲ ରୁମକୁ ଅଜଣା ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।
ଖେଳାଳିଙ୍କ ବ୍ୟତୀତ ଟିମ ମାଲିକମାନଙ୍କୁ ମଧ୍ୟ BCCI କଡ଼ା ନିର୍ଦ୍ଦେଶ ଦେଇଛି। ମ୍ୟାଚ ଚାଲିଥିବା ସମୟରେ ମାଲିକମାନେ ଡଗ-ଆଉଟ, ଡ୍ରେସିଂ ରୁମ କିମ୍ବା ପଡ଼ିଆ ଭିତରକୁ ଯାଇ ଖେଳାଳିଙ୍କ ସହ କଥା ହୋଇପାରିବେ ନାହିଁ। ନିକଟରେ ରାଜସ୍ଥାନ ରୟାଲ୍ସ ମ୍ୟାନେଜର ରୋମି ଭିଣ୍ଡର ଡଗ୍-ଆଉଟ୍ରେ ଫୋନରେ କଥା ହେଉଥିବାରୁ ଏବଂ ଅଧିନାୟକ ରିୟାନ ପରାଗ ଭେପିଙ୍ଗ କରୁଥିବାରୁ ସେମାନଙ୍କ ଉପରେ ଜରିମାନା ସହ କଡ଼ା ଆପତ୍ତି ପ୍ରକାଶ କରାଯାଇଥିଲା।
Dharitri – Odisha’s No.1 Odia Daily