Categories: ଜାତୀୟ

ଜେଲ୍‌ ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ: ଆଲର୍ଟ ଜାରି କଲା ଗୁଇନ୍ଦା ବିଭାଗ

ଚଣ୍ଡିଗଡ଼,୬।୬: ଗତ ମାସରେ ପଞ୍ଜାବର ଗୋଇନ୍ଦା ବିଭାଗର କାର୍ଯ୍ୟାଳୟରେ ଆକ୍ରମଣ ପରେ ପଞ୍ଜାବ ଜେଲ୍‌ରେ ଏବେ ଆତଙ୍କବାଦୀ ଆକ୍ରମଣର ଭୟ ରହିଛି। ଏସମ୍ପର୍କରେ ପଞ୍ଜାବ ପୋଲିସକୁ ଗୋଇନ୍ଦା ଏଜେନ୍ସିମାନେ ସତର୍କ କରାଇଛନ୍ତି। ଏଜେନ୍ସି ପକ୍ଷରୁ କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ, ରାଜ୍ୟର ୪ଟି ଜେଲରେ ଆତଙ୍କବାଦୀ ଆକ୍ରମଣ ଜରିଆରେ ଜେଲ୍‌ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରାଯାଇପାରେ। ଏହାପୂର୍ବରୁ ଏପ୍ରିଲରେ ଚଣ୍ଡିଗଡ଼ ନିକଟସ୍ଥ ବୁଡେଲ ଜେଲ୍‌ର କାନ୍ଥ ନିକଟରେ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ତେବେ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନର ଗୋଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପଞ୍ଜାବରେ ଲଗାତର ଭାବେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଆଗକୁ ପଞ୍ଜାବର ୪ଟି ପ୍ରମୁଖ ଜେଲ୍‌ ଉପରେ ଆକ୍ରମଣ କରି ଜେଲ୍‌ଭାଙ୍ଗି କଏଦୀଙ୍କୁ ଫେରାର କରିବାକୁ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ ପାଇଛି। ସୂଚନା ମୁତାବକ, ଯେଉଁ ଜେଲ୍‌ରେ ଆତଙ୍କବାଦୀ ଆକ୍ରମଣରେ ଜେଲ୍‌ଭାଙ୍ଗିବା ପାଇଁ ଷଡଯନ୍ତ୍ର କରାଯାଉଛି, ସେଥିରେ ବଠିଣ୍ଡା ଜେଲ୍‌, ଫିରୋଜପୁର, ଅମୃତସର ଏବଂ ଲୁଧିଆନା ଜେଲ୍‌ ରହିଛି। ଗୋଇନ୍ଦା ଏଜେନ୍ସି ଅନୁଯାୟୀ, ପାକିସ୍ତାନରେ ବସିଥିବା ବାବର ଖାଲସା ଇଣ୍ଟରନ୍ୟାସନାଲର ଆତଙ୍କବାଦୀ ମାଷ୍ଟରଙ୍କୁ ଏହି ଷଡଯନ୍ତ୍ରର ଦାୟିତ୍ୱ ଦିଆଯାଇଛି।

Share