Categories: ଜାତୀୟ

ପଞ୍ଜାବ ବିଧାନସଭାରେ ପାରିତ ହେଲା କୃଷି ଆଇନ ବିରୋଧୀ ପ୍ରସ୍ତାବ

ଚଣ୍ଡିଗଡ଼, ୧୧।୧୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଗୁରୁବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ କୃଷିମନ୍ତ୍ରୀ ରଣଦୀପ୍‌ ସିଂ ନାଭା ଏହି ପ୍ରସ୍ତାବ ଆଣିଥିବା ବେଳେ ଏହା ଉପରେ ବିତର୍କ ହୋଇଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଶିରୋମଣି ଅକାଳୀ ଦଳ ନେତା ତଥା ପୂର୍ବତନ ରାଜସ୍ବ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆଙ୍କ ବିରୋଧରେ ମନ୍ତବ୍ୟ ଦେବାରୁ ଏହାକୁ ନେଇ ଗୃହରେ ହଟ୍ଟଗୋଳ ହେବା ସହ ୪ ଥର ମୁଲତବୀ ହୋଇଥିଲା। ୩ କୃଷି ଆଇନ ପାଇଁ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ଅକାଳୀ ଦଳକୁ ଦାୟୀ କରିଥିଲେ। ୨୦୧୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦ୍ୱାରା ଠିକା କୃଷି ଆଇନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅକାଳୀ-ଭାଜପା ସରକାର ବେଳର ଉକ୍ତ ଚାଷୀ ବିରୋଧୀ ଆଇନକୁ ରଦ୍ଦ କରିବା ପାଇଁ ସିଦ୍ଧୁ ଦାବି କରିଥିଲେ। ଉକ୍ତ ଆଇନକୁ ଅକାଳୀ ଦଳ ସମର୍ଥନ କରିଥିବା ବିରୋଧୀ ଦଳ ନେତା ଆମ୍‌ ଆଦ୍‌ମୀ ପାର୍ଟିର ହରପାଲ ସିଂ ଚିମା ଅଭିଯୋଗ କରିଥିଲେ।

Share