ହରଭଜନଙ୍କୁ ଡବଲ୍‌ ଝଟ୍‌କା: ଘର ବାହାରେ ଲେଖାଗଲା ‘ଗଦ୍ଦାର’, ପଞ୍ଜାବ ସରକାର ହଟାଇଲେ… 

ଚଣ୍ଡିଗଡ଼,୨୬।୪: ପଞ୍ଜାବର ରାଜନୈତିକ ପାଣିପାଗ ଏବେ ବେଶ ସରଗରମ ରହିଛି। ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ସାମିଲ ହେବାର କିଛି ଦିନ ପରେ, ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ଏମ୍‌ପି ହରଭଜନ ସିଂଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ରବିବାର ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇଛି, ଯାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
ନିକଟରେ ହରଭଜନ ସିଂଙ୍କ ସମେତ ‘ଆପ୍‌’ର ୭ ଜଣ ଏମ୍‌ପି ଭାଜପାରେ ଯୋଗ ଦେଇଛନ୍ତି। ଏହା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ପାର୍ଟି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଏହି ଦଳ ବଦଳ ପରେ ’ଆପ’ କର୍ମୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶନିବାର ଦିନ ଲୁଧିଆନା ଏବଂ ଜାଲନ୍ଧରରେ ଆମ ଆଦମୀ ପାର୍ଟିର କର୍ମୀମାନେ ହରଭଜନ ସିଂ, ଅଶୋକ ମିତ୍ତଲ ଏବଂ ରାଜିନ୍ଦର ଗୁପ୍ତାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ସାଂସଦମାନଙ୍କ ଘର କାନ୍ଥରେ ସ୍ପ୍ରେ ପେଣ୍ଟରେ ’ଗଦ୍ଦାର’(ବିଶ୍ୱାସଘାତକ) ବୋଲି ଲେଖିବା ସହ ‘ପଞ୍ଜାବର ଗଦ୍ଦାର’ ସ୍ଲୋଗାନ ଦେଇଥିଲେ।
ସୂଚନା ଅନୁଯାୟୀ, ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂ, ରାଜେନ୍ଦ୍ର ଗୁପ୍ତା, ସ୍ବାତି ମାଲିୱାଲ ଏବଂ ବିକ୍ରମଜିତ ସାହନୀଙ୍କ ପରି ପ୍ରମୁଖ ନେତାମାନେ ଭାଜପାରେ ସାମିଲ ହୋଇଛନ୍ତି।
ତେସେୁରକ୍ଷା ହଟାଯିବା ଏବଂ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପଞ୍ଜାବ ଜନତାଙ୍କ ସହ ଏହି ଏମ୍‌ପିମାନେ ବିଶ୍ୱାସଘାତକତା କରିଥିବା ’ଆପ’ କର୍ମୀମାନେ ଅଭିଯୋଗ କରିଛନ୍ତି।
Dharitri – Odisha’s No.1 Odia Daily

Share