Categories: ଜାତୀୟ

ଏଏପିରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ଆଇଜି କୁଓ୍ବଁର

ଅମୃତସର,୨୧।୬: ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ପଞ୍ଜାବର ପୂର୍ବତନ ଆଇଜି କୁଓ୍ବଁର ବିଜୟ ପ୍ରତାପ ସିଂହ ସୋମବାର ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ଉପସ୍ଥିତିରେ କୁଓ୍ବଁର ବିଜୟ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ଏଏପି ଏମ୍‌ପି ଭଗଓ୍ବନ୍ତ ମାନ ବି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ନିଜ ଦଳକୁ ସୁଦୃଢ଼ କରିବା ପାଇଁ ଏଏପି ଅଣ୍ଟା ଭିଡ଼ିଛି। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ସୋମବାର ଗୋଟିଏ ଦିନ ପାଇଁ ପଞ୍ଜାବ ଗସ୍ତରେ ଅଛନ୍ତି। ଏହି ସମୟରେ ପଞ୍ଜାବର ପୂର୍ବତନ ଆଇଜି କୁଓ୍ବଁର ଦଳରେ ଯୋଗଦେଇଛନ୍ତି। ଦଳରେ ସାମିଲକୁ ହେବାକୁ ନେଇ କେଜରିଓ୍ବାଲ କହିଛନ୍ତି, କୁଓ୍ବଁର ବିଜୟ କୌଣସି ନେତା ନୁହଁନ୍ତି, ତାଙ୍କୁ ସାଧାରଣ ଜନତାଙ୍କ ପୋଲିସଓ୍ବାଲା ବୋଲି କୁହାଯାଏ। ଦେଶର ସେବା କରିବାକୁ ଆମେ ପ୍ରସ୍ତୁତ ଅଛୁ। ଏହି ଭାବନା ନେଇ ଆଜି କୁଓ୍ବଁର ବିଜୟ ଦଳରେ ସାମିଲ ହୋଇଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି।

Share