Categories: ଜାତୀୟ

ସନ୍ଥ ରବିଦାସ ଜୟନ୍ତୀରେ ବାରାଣସୀ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବାରାଣସୀ,୧୬।୨: ବୁଧବାର ଦେଶରେ ସନ୍ଥ ରବିଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଧାନସଭା ନିର୍ବାଚନରେ ଦଳିତ ଭୋଟ ବ୍ୟାଙ୍କ ପାଇଁ ନେତାଙ୍କ ଲାଗି ଆଜି ଏକ ବିଶେଷ ଦିନ। ନିର୍ବାଚନ ପରିବେଶ ମଧ୍ୟରେ ରବିଦାସଙ୍କ ଜୟନ୍ତୀରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦଳିତ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏହିକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମଧ୍ୟ ପଛରେ ନାହାନ୍ତି। ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଚନ୍ନି ବାରାଣସୀ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରୁ ସେ ସିଧାସଳଖ ଶ୍ରୀକାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିଲେ। ବାବାଙ୍କ ଦର୍ଶନ ଓ ପୂଜା କରିବା ପରେ ସେ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନ ସୀର ଗୋବର୍ଦ୍ଧନପୁରରେ ପହଞ୍ଚିଥିଲେ। ରବିଦାସ ମନ୍ଦିରରେ ସନ୍ଥ ନିରଞ୍ଜନ ଦାସ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନି ରବିଦାସ ଜୟନ୍ତୀରେ ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି। ସକାଳ ପ୍ରାୟ ୪ଟାରେ ଚନ୍ନି ପ୍ରଥମେ ପହଞ୍ଚି ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ। ପଞ୍ଜାବ ଓ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଦଳିତ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରବିଦାସଙ୍କ ମନ୍ଦିରରେ ଆଜି ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ତାଲିକାରେ ଚନ୍ନି ପ୍ରଥମରେ ରହିଛନ୍ତି। ଚନ୍ନି ସକାଳୁ ମନ୍ଦିରରେ ପହଞ୍ଚି ସନ୍ଥ ରବିଦାସଙ୍କୁ ଦର୍ଶନ କରିବା ସହ ପ୍ରାୟ ୪୫ ମିନିଟ୍‌ ଧରି ମନ୍ଦିରରେ ଚାଲିଥିବା କିର୍ତ୍ତନରେ ସେ ସାମିଲ ହୋଇଥିଲେ। ମନ୍ଦିରରୁ ବାହାରିବା ପରେ ଚନ୍ନି ପଞ୍ଜାବରୁ ଆସିଥିବା ଭକ୍ତଙ୍କୁ ଭେଟି ସତ୍‌ସଙ୍ଗ ସ୍ଥାନକୁ ଚାଲିଯାଇଥିଲେ।

Share