Categories: ଜାତୀୟ

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ବୈଠକରେ ଦୁଇ ନେତା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ପଞ୍ଜାବରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବୁଧବାର କେନ୍ଦ୍ର ଆମକୁ ୧୦ଟି ପାରାମିଲିଟାରୀ ଫୋର୍ସ ଯୋଗାଇଦେଇଥିବା ବେଳେ ଗୁରୁବାର ରାଜ୍ୟ ଆଉ ୧୦ଟି କମ୍ପାନୀ ଦାବି କରିିଛି ବୋଲି ମାନ କହିଛନ୍ତି। ଯାହାକୁ ସ୍ବରାଷ୍ଟ୍ରମନ୍ତ୍ରୀ ମଧ୍ୟ ଗ୍ରହଣ କରିଛନ୍ତି। ଏଥିସହ ଆଇନ ଶୃଙ୍ଖଳା ସମ୍ବନ୍ଧରେ ପଟିଆଲାରେ ଘଟିଥିବା ଘଟଣା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଗହମ ଅମଳ କମ୍‌ ହେତୁ ଚାଷୀଙ୍କୁ ୫୦୦ଟଙ୍କା ବୋନସ ଦେବା ପ୍ରସଙ୍ଗ ମଧ୍ୟ ଉଠାଯାଇଛି। ଏତଦ୍‌ ବ୍ୟତୀତ ରାଜ୍ୟ ସରକାର ଡ୍ରୋନ ଆଣ୍ଟି ଟେକ୍ନୋଲୋଜି (ଆଣ୍ଟି ଡ୍ରୋନ ସିଷ୍ଟମ) ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଦାବି କରିଛନ୍ତି ବୋଲି ମାନ କହିଛନ୍ତି। ଅନ୍ୟପଟେ ଦଳ ଉପରେ ଉଠି ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସହଯୋଗ ଦିଆଯିବ। ପଞ୍ଜାବର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି।

Share