Categories: ଜାତୀୟ

୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୧।୩ :ପଞ୍ଜାବର ନବଗଠିତ କ୍ୟାବିନେଟର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ସଙ୍ଗିନ ଅପରାଧ ମାମଲା ରହିଥିବା ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି। ପଞ୍ଜାବ ଇଲେକ୍ସନ ଓ୍ବାଚ୍‌ ଏବଂ ଏଡିଆର୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ୧୧ମନ୍ତ୍ରୀଙ୍କ ସତ୍ୟପାଠର ଅନୁଧ୍ୟାନ କରାଯାଇଥିଲା। ୭ ଜଣ (୬୪%) ମନ୍ତ୍ରୀ ସତ୍ୟପାଠରେ ଅପରାଧ ସମ୍ପର୍କରେ ଘୋଷଣା କରିଥିବା ବେଳେ ୪ ଜଣ (୩୬%) ସଙ୍ଗିନ ଅପରାଧ ସମ୍ପର୍କରେ ଜଣାଇଛନ୍ତି। ସେହିପରି ୧୧ମନ୍ତ୍ରୀଙ୍କ ମଧ୍ୟରୁ ୯ଜଣ କୋଟିପତି ହୋଇଥିବା ବେଳେ ସେମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୨.୮୭କୋଟି ଟଙ୍କା। ହୋଶିଆରପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ମନ୍ତ୍ରୀ ବ୍ରମଶଙ୍କର (ଜିମ୍ପା)ଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୮.୫୬ କୋଟି ଟଙ୍କା ବୋଲି ଜଣାପଡ଼ିଛି। ସେହିପରି ଭୋଆ ଆସନରୁ ଜିତିଥିବା ଲାଲ୍‌ଚାନ୍ଦଙ୍କ ସମ୍ପତ୍ତି ପରିମାଣ ୬.୧୯ ଲକ୍ଷ ଟଙ୍କା। ବ୍ରମ ଶଙ୍କରଙ୍କ ଋଣ ପରିମାଣ ମଧ୍ୟ ସର୍ବାଧିକ ୧.୦୮ କୋଟି ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଥିଲେ। ୫ ମନ୍ତ୍ରୀ (୪୫) ପ୍ରତିଶତଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଦ୍ୱାଦଶ ପାସ୍‌ ହୋଇଥିବା ବେଳେ ଅନ୍ୟମାନଙ୍କ ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ବୋଲି ଏଡିଆର୍‌ ରିପୋର୍ଟରେ କୁହାଯାଇଛି। ୬ମନ୍ତ୍ରୀଙ୍କ ବୟସ ୩୧ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ଅନ୍ୟ ୫ଜଣଙ୍କ ବୟସ ୫୧ରୁ ୬୦ ବର୍ଷ ମଧ୍ୟରେ ବୋଲି ସତ୍ୟପାଠରୁ ଜଣାପଡ଼ିଛି।

Share