Categories: ଜାତୀୟ

ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ମାଗିଲେ ସୁରକ୍ଷା, କୋର୍ଟ ନିର୍ଦ୍ଦେଶ ଦେଲେ ଏମିତି

ଚଣ୍ଡିଗଡ,୧୫।୯: ପଞ୍ଜାବରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ହାଇକୋର୍ଟରେ ସୁରକ୍ଷା ମାଗିଛନ୍ତି। ସ୍ବାମୀ ଏବଂ ଶାଶୁଘର ଲୋକଠାରୁ ଧମକ ମିଳୁଥିବାରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ତାଙ୍କ ପାଇଁ ଭାରି ପଡିଛି। କୋର୍ଟ ଓଲଟା ମହିଳାଙ୍କ ଉପରେ ୨୫ ହଜାର ଟଙ୍କା ଜରିିମାନା ଲଗାଇବା ସହ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ରୋହତକ ନିବାସୀ ମହିଳା ଏହି ପିଟିସନ ଦାଖଲ କରିବାବେଳେ କହିଥିଲେ ଯେ ସେ ୨୦୦୮ ରେ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ସ୍ବାମୀଙ୍କ ସହ ରହୁଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କର ଦୁଇଟି ସନ୍ତାନ ହୋଇଥିଲା। ଅଗଷ୍ଟ ୨୨ରେ, ସେ ବୟଫ୍ରେଣ୍ଡ୍‌ ସୁମିତଙ୍କ ସହ ଘରୁ ପଳାଇଥିଲେ। ଏବେ ସେ ଅଲଗା ରହୁଛନ୍ତି। ଆବେଦନକାରୀ କହିଛନ୍ତି ଯେ ସେ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ସହ ଖୁସି ଅଛନ୍ତି, ତାଙ୍କ ସହ ରହିବାକୁ ଚାହୁଁଛନ୍ତି କିନ୍ତୁ ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କର କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇଦେବାକୁ ହାଇକୋର୍ଟରେ ନିବେଦନ କରିଥିଲେ। ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଆବେଦନକାରୀଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି।

Share