Categories: ଜାତୀୟ

ଦଲେର୍‌ ମେହେନ୍ଦିଙ୍କୁ ଆଶ୍ୱସ୍ତି

ଚଣ୍ଡିଗଡ,୧୫।୯: ମାନବ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଥିବା ପଞ୍ଜାବୀ ଗାୟକ ଦଲେର୍‌ ମେହେନ୍ଦିଙ୍କୁ ଗୁରୁବାର ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା କୋର୍ଟ ଦେଇଥିବା ଦଣ୍ଡକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ଦଣ୍ଡ ବିରୋଧରେ ହୋଇଥିବା ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ସ୍ବୀକାର କରିଛନ୍ତି।
୧୮ ବର୍ଷ ପୁରୁଣା ଏହି ମାମଲାରେ ୨୦୧୮ରେ ଦଲେରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଗାୟକ। ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦିଙ୍କ ୨ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ ରଖିଥିଲେ।
୨୦୦୩ରେ ଦଲେର୍‌ ମେହନ୍ଦି ଏବଂ ତାଙ୍କ ଭାଇ ଶ୍ୟାମସର ସିଂଙ୍କ ନାଁରେ ମାନବ ଚାଲାଣ ଅଭିଯୋଗ ଆସିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ଉଭୟଙ୍କ ବିରୋଧରେ ୩୧ଟି ମାମଲା ରୁଜୁ ହୋଇଥିଲା। ସେମାନେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇ ବିପୁଳ ପରିମାଣର ଟଙ୍କା ନେଉଥିଲେ। ୧୯୯୮ ଓ ୧୯୯୯ ବେଳେ ଦଲେର ମେହେନ୍ଦି ଅତି କମ୍ରେ ୧୦ ଜଣଙ୍କୁ ଅବୈଧ ରୂପେ ସାନ ଫ୍ରାନ୍ସିସ୍କୋ ଓ ନ୍ୟୁ ଜର୍ସିକୁ ଚାଲାଣ କରିଥିଲେ। ଏହାପରେ ଦଲେର ମେହନ୍ଦି ଓ ତାଙ୍କ ଦିବଙ୍ଗତ ଭାଇ ଶମସେର ସିଂହଙ୍କ ବିରୋଧରେ ଏଫଆଇଆର୍‌ ହୋଇଥିଲା। ଦୁଇ ଭାଇ ଲୋକଙ୍କୁ ବିଦେଶ ପଠାଇବା ପାଇଁ ୧ କୋଟି ଟଙ୍କା ଚାର୍ଜ କରୁଥିଲେ।

Share