ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍ ପୋକ୍ସୋ ଜଜ୍ ରୋହିତ ଲାଲ ପଣ୍ଡା ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ୨୪ ପ୍ରଗଣାର ମୂଳ ନିବାସୀ ଜନକ ସରକାର (୩୬)। ଘଟଣା ବେଳେ ସେ ତାରସିଂ ଅଞ୍ଚଳରେ ରହୁଥିଲେ।
୨୦ ବର୍ଷ ଜେଲ ସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ଜଜ୍। ଏହା ଅନାଦାୟ ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତାରସିଂ ଥାନା ଅଞ୍ଚଳର ନାବାଳିକା ଜଣକ ପଡ଼ିଶା ଘରେ ଅଭିଯୁକ୍ତ ଜନକ ରହୁଥିଲେ। ୧୦ମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାଙ୍କୁ ସେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୨୨ ମେ ୧୮ରେ ଜନକ ନାବାଳିକାଙ୍କୁ ପ୍ରଲୋଭିତ କରି ଅନ୍ୟ ଏକ ଗ୍ରାମକୁ ନେଇ ସେଠାରେ ଭଡ଼ାଘରେ ରଖିଥିଲେ। ତାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରିଥିଲେ।
ନାବାଳିକା ଗର୍ଭବତୀ ଥିବା ଜନକ ଜାଣିବା ପରେ ତାଙ୍କୁ ନିର୍ଯାତନା ଦେବାସହ ବଳପୂର୍ବକ ଔଷଧ ଖୁଆଇ ଗର୍ଭପାତ କରାଇଥିଲେ। ଏପରି କି ତାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ନାବାଳିକା ଜଣକ କୌଶଳକ୍ରମେ ସେଠାରୁ ଖସି ଆସି ତାରସିଂ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ଏକ ମାମଲା(ନଂ ୧୮୫/୨୨) ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ଜନକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଭାଗୀରଥି ନାୟକ ଜନକଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଜନକଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି ପି ଡ.ଶିବ ପ୍ରସାଦ ମିଶ୍ର ମାମଲା ପରିଚାଳନା କରିଥିଲେ।