ହସିଲେ ମାଡ଼, ତାଲିବାନ ଶାସନକୁ ବର୍ଷେ ପୂରଣ…

କାବୁଲ, ୮।୮ : ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ହେବାର ଗୋଟିଏ ବର୍ଷ ପୂରଣ ହୋଇଛି। ଏହା ସହିତ କଡ଼ା ତାଲିବାନୀ କଟକଣା ଯୋଗୁ ସାଧାରଣ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ କାବୁଲରେ ମହିଳାଙ୍କ ଜୀବନ ଦିନକୁ ଦିନ ନର୍କରେ ପରିଣତ ହେବାରେ ଲାଗିଛି। କାବୁଲର ଏକ ବଜାରରେ ଜଣେ ବାଳିକା କେବଳ ହସିବା ଏବଂ ସାଙ୍ଗ ସହିତ ଉଚ୍ଚ ସ୍ବରରେ କଥା ହେବା କାରଣରୁ ତାଙ୍କୁ ମାଡ ଦିଆଯାଇଛି। ପୃଥିବୀର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଆଫଗାନିସ୍ତାନରେ ମହିଳାମାନେ ବର୍ତ୍ତମାନ କଠୋର କଟକଣା ଭୋଗୁଛନ୍ତି। ମହିଳାଙ୍କର ମାଧ୍ୟମିକ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଛୋଟ ଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ସେମାନେ ପୁରୁଷ ଅଭିଭାବକଙ୍କ ସହିତ ଯିବାକୁ ବାଧ୍ୟ ହେଉଛନ୍ତି।

ଦି ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ ତାଲିବାନ ଶାସନରେ ଆଫଗାନିସ୍ତାନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ଧୀରେ ଧୀରେ କିଛି ସମୟ ଅନ୍ତରରେ ଲାଗୁ କରାଯାଇଛି। ଏସବୁ ପ୍ରତିବନ୍ଧକକୁ କଡାକଡି ଭାବେ ପାଳନ କରାଯାଉଛି। ଜଣେ ଯୁବକ କହିଛନ୍ତି ଯେ ସେ ତିନିଥର ଦେଖିଛନ୍ତି ଯେ ତାଲିବାନ ପୁରୁଷମାନେ ବଜାରରେ ମହିଳାଙ୍କୁ ମାଡ ମାରୁଛନ୍ତି। କିଛି ମହିଳା ପିନ୍ଧିଥିବା ସାଲୱାରଗୁଡ଼ିକ ତାଲିବାନର ଲୋକଙ୍କ ପାଇଁ ସହ୍ୟ ହୋଇ ନଥିବା ମନେ ହେଉଥିଲା। ସେପ୍ଟେମ୍ବରରେ କିଶୋରୀଙ୍କୁ ସ୍କୁଲ ଛାଡିବାକୁ ପଡିଲା ଏବଂ ବର୍ତ୍ତମାନ ସେମାନେ ଘରେ ରହି ଡିପ୍ରେସନ ଗ୍ରସ୍ତ ହେବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାୟ ଏକ ବର୍ଷ ପୂର୍ବେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶୀଘ୍ର ଦଖଲ କରାଯାଇଥିଲା। ଆମେରିକା ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଶାନ୍ତି ଆଲୋଚନାରେ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ ମହିଳାମାନଙ୍କର ଶିକ୍ଷା ଏବଂ କାର୍ଯ୍ୟ କରିବାର ଅଧିକାର ରହିବ। ଗୋଟିଏ ବର୍ଷ ପରେ ଆଫଗାନିସ୍ତାନରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି।

Share