ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ବିବାହ ପାଇଁ କଥା ଦେଇଥିବା ପ୍ରେମିକା ଯୋଜନାବଦ୍ଧ ଭାବେ ତାଙ୍କୁ ୪୦୦ ଫୁଟ୍ ଉଚ୍ଚରୁ ଠେଲି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ସିୟା ଏବଂ ତାଙ୍କ ପ୍ରେମିକ ଚେତନ ଚୌହାନ ମିଶି କେତନଙ୍କୁ ଦୁର୍ଗ ଉପରୁ ଏକ ଗଭୀର ଖାତକୁ ଠେଲି ଦେଇଥିଲେ। ପୋଲିସ ଉଭୟଙ୍କୁ ଗିରଫ କରିଛି। ଘଟଣାର ୫ ଦିନ ପୂର୍ବରୁ ମଧ୍ୟ ସେମାନେ ହତ୍ୟା ଯୋଜନା କରି ବିଫଳ ହୋଇଥିଲେ। ଉଭୟ ଥର ସେମାନେ କେତନଙ୍କ ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲେ। ନଭେମ୍ବରରେ କେତନ ଓ ସିୟାଙ୍କ ବିବାହ ହେବାର ଥିଲା। ଏଥିପାଇଁ ସେମାନଙ୍କ ପରିବାର ଜୟପୁରରେ ୧୭ କୋଟି ଟଙ୍କାରେ ପ୍ୟାଲେସ୍ ବୁକ୍ କରିଥିଲେ ଏବଂ ଅତିଥିମାନଙ୍କ ପାଇଁ ୨ଟି ଘରୋଇ ବିମାନ ବ୍ୟବସ୍ଥା ହୋଇଥିଲା।
ମୃତ୍ୟୁ ପରେ ସିୟା ଲୋନାଭାଲା ପୋଲିସକୁ କହିଥିଲେ, ଦୁର୍ଗ ଉପରେ ଫଟୋ ଉଠାଉଥିବାବେଳେ ପବନର ବେଗ ଅଧିକ ଥିବାରୁ କେତନ ଖସିପଡ଼ିଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ତଦନ୍ତକାରୀ ଅଧିକାରୀ ସନ୍ଦେହ କରିଥିଲେ। ସିୟା କୋଣ୍ଡଓ୍ବା ଅଞ୍ଚଳର ଚେତନଙ୍କ ସହ ସମ୍ପର୍କ ରଖିଥିବା ପୋଲିସ ଜାଣିବାକୁ ପାଇଥିଲା। ସେମାନେ ମିଶି କେତନଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ତଦନୁଯାୟୀ ସିୟା କେତନଙ୍କୁ ଲୋହାଗଡ଼ ଦୁର୍ଗ ଚଢ଼ିବା ପାଇଁ ପ୍ରବର୍ତ୍ତାଇଥିଲେ ଓ ପରେ ସେଠାକୁ ପ୍ରେମିକ ଚେତନଙ୍କୁ ଡାକିଥିଲେ। ଉଭୟ ମିଶି କେତନଙ୍କୁ ୪୦୦ ଫୁଟ୍ ତଳକୁ ଠେଲିଦେଇଥିଲେ।