Categories: ଜାତୀୟ

ହନୁମାନ ଚାଳିଶା ପାଠ କରି ଗିରଫ ହେଲେ ଏମ୍‌ଏନ୍‌ଏସ୍‌ ନେତା

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ ବୁଧବାର ଲାଉଡସ୍ପିକରକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ରାଜ ଠାକ୍‌ରେଙ୍କ ଚେତାବନୀକୁ ସଫଳ କରିଦେଖାଇଛନ୍ତି ଦଳର କର୍ମକର୍ତ୍ତମାନେ। ବୁଧବାର ସକାଳେ ନଭି ମୁମ୍ବାଇର ଏକ ମସ୍‌ଜିଦ୍‌ ନିକଟରେ ଏମ୍‌ଏନ୍‌ଏସ୍‌ କର୍ମକର୍ତ୍ତମାନେ ହନୁମାନ ଚାଳିଶା ପାଠ କରିଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ଅନେକ ନେତାଙ୍କ ଗିରଫଦାରୀ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଣେ ପୋଲିସ ଏମ୍‌ଏନ୍‌ଏସ୍‌ ମହାସଚିବ ଅଜୟ ଶିନ୍ଦେଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିରରେ ମହାଆରତୀ କରିବା ସହ ମସ୍‌ଜିଦ୍‌ ବାହାରେ ହନୁମାନ ଚାଳିଶା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଛି। ସୂଚନା ମୁତାବକ, ରାଜ ଠାକ୍‌ରେ ପୂର୍ବରୁ ଉଦ୍ଧବ ସରକାରଙ୍କୁ ମେ’୪ ପର୍ଯ୍ୟନ୍ତ ସମସ୍ତ ମସ୍‌ଜିଦ୍‌ରୁ ଲାଉଡସ୍ପିକର ହଟାଇବାକୁ ଚେତାବନୀ ଦେଇଥିଲେ। ନଚେତ୍‌ ଏମ୍‌ଏନ୍‌ଏସ୍‌ କର୍ମକର୍ତ୍ତା ସେହି ସ୍ଥାନଗୁଡ଼ିକରେ ହନୁମାନ ଚାଳିଶା ପାଠ କରିବେ ଯେଉଁଠାରେ ଲାଉଡସ୍ପିକରରେ ଅଜାନ ପଢ଼ାଯାଉଛି ବୋଲି ରାଜ ଠକ୍‌ରେ କହିଥିଲେ। ତେବେ ଏହାକୁ ସଫଳ କରିଦେଖାଇଛନ୍ତି ଦଳର କର୍ମମର୍ତ୍ତାମାନେ।

Share