Categories: ଜାତୀୟ

ଭାଜପା ସଭାରେ ମୁଥା ମରାମରି

କୋଲକାତା,୨୨।୧୦: ଫାଟ ଦେଖାଦେଇଛି ଭାଜପାର ପଶ୍ଚିମବଙ୍ଗ ୟୁନିଟ୍‌ରେ। ପଶ୍ଚିମ ବର୍ଦ୍ଧମାନର କାଟଓ୍ବାରେ ଶୁକ୍ରବାର ଆୟୋଜିତ ଦଳର ସାଙ୍ଗଠନିକ ବୈଠକରେ ହାତହାତି ହୋଇଛନ୍ତି ଦୁଇ ଗୋଷ୍ଠି। ତାହା ପୁଣି ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦର ଓ ପୂର୍ବତନ ସଭାପତି ଦୀଲିପ ଘୋଷଙ୍କ ଉପସ୍ଥିତିରେ। ଏଥି ଲାଗି ଭାଜପାର ଦୁଇ ବରିଷ୍ଠ ନେତା ସରକାରୀ ତୃଣମୂଳ କଂଗ୍ରେସର ଏଜେଣ୍ଟଙ୍କୁ ଦୋଷ ଦେଇଛନ୍ତି।

କାଟଓ୍ବାର ଦଇହାଟଠାରେ ଦୁଇ ନେତା ପହଞ୍ଚିବା ପରେ ଦୀଲିପ ଘୋଷଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲା ଏକ ଗୋଷ୍ଠି। ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟ ଭାଜପା ସଭାପତି ଥିଲେ ଦୀଲିପ। ଏବେ ସେ ଭାଜପାର ଜାତୀୟ ଉପ ସଭାପତି ଅଛନ୍ତି। ଗଣମାଧ୍ୟମ ଆଗରେ ସ୍ଲୋଗାନ ଜାରି ରହିବାରୁ ଅନ୍ୟ ଏକ ଗୋଷ୍ଠି ଆନ୍ଦୋଳନକାରୀଙ୍କୁ ଧକ୍କା ମାରିଥିଲେ। ଫଳରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ମୁଥା ମରାମରିଠୁ ଆରମ୍ଭ କରି ପରସ୍ପର ଉପରେ ଚେୟାର ଫିଙ୍ଗା ଫୋପାଡ଼ା କରିଥିଲେ। ପରେ ଜିଲାସ୍ତରୀୟ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା।

ଟିଏମ୍‌ସିକୁ ଦୋଷ ଦେଇ ମଜୁମଦର କହିଛନ୍ତି, ବୈଠକରେ ସମସ୍ୟା ସୃଷ୍ଟି କରିବା ପାଇଁ ସରକାରୀ ଦଳ ଏଜେଣ୍ଟ ପଠାଇଥିଲା। ଆମେ ସେମାନଙ୍କୁ ଚିହ୍ନଟ କରିବୁ। ଯଦି ଏଥିରେ ଆମର କୌଣସି କର୍ଯ୍ୟକର୍ତ୍ତା ସମ୍ପୃକ୍ତ ଥାନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share