Categories: ଖେଳ

ସମ୍ମାନିତ ହେଲେ ୧୦୦ ତମ ଟେଷ୍ଟ ଖେଳୁଥିବା ପୂଜାରା

ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦିଲ୍ଲୀ ଟେଷ୍ଟ ଟିମ୍‌ ଇଣ୍ଡିଆର ବରିଷ୍ଠ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ ତମ ମ୍ୟାଚ୍‌। ଏହି ସଫଳତା ହାସଲ କରିବାରେ ୧୩ ତମ ଭାରତୀୟ କ୍ରିକେଟର ହୋଇଥିବାରୁ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଟିମ ଇଣ୍ଡିଆର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ତାଙ୍କୁ ଏକ ସ୍ବତନ୍ତ୍ର କ୍ୟାପ୍‌ ଭେଟି ଦେଇଥିଲେ।

ଗାଭାସ୍କର କ୍ୟାପ୍‌ ପ୍ରଦାନ କରି ପୂଜାରାଙ୍କ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ଆପଣ ଦେଶ ପାଇଁ ଆଘାତ ପାଇଛନ୍ତି, ବୋଲରମାନଙ୍କୁ ଆପଣଙ୍କ ଉଇକେଟ ନେବାକୁ ସର୍ବଦା ସଂଘର୍ଷ କରିବାକୁ ପଡିଛି। ଆପଣ ଅନେକ ଯୁବ କ୍ରିକେଟରଙ୍କ ପାଇଁ ଏକ ଆଦର୍ଶ ଯିଏ କି ଟେଷ୍ଟ କ୍ରିକେଟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଇଛନ୍ତି। ଆଶା କରୁଛି ଯେ ଆପଣ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୧୦୦ ତମ ଟେଷ୍ଟରେ ଶତକ ହାସଲ କରିବେ।’

ତେବେ ଏହି ସ୍ବତନ୍ତ୍ର ଅବସରରେ ଟିମ ଇଣ୍ଡିଆ ପକ୍ଷରୁ ପୂଜାରାଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। ଏହି ସମୟରେ ଅଷ୍ଟ୍ରେଲିଆର ଉଭୟ ଓପନର୍‌ ମଧ୍ୟ ଠିଆ ହୋଇଥିଲେ।

Share