ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ବର୍ଷରେ ପଦାର୍ପଣ କରିଛି। ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି। ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମୁଖ୍ୟ ତୋରଣ ୪୫ଫୁଟ୍‌ ଉଚ୍ଚତା ଓ ୪୮ଫୁଟ୍‌ ଚଉଡ଼ାର ହେବ। ୪୦ଜଣ କାରୀଗର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଏଥିସହ ଭୁବନେଶ୍ୱରୀ ଦେବୀଙ୍କ ସକାଶେ ୬କେଜି ରୂପାରେ ଛତ୍ର ତିଆରି କରାଯାଉଛି। ଦେବୀଙ୍କ ରୂପା ମୁକୁଟ ଶୀର୍ଷରେ ଏହି ଛତ୍ର ଲାଗିବ। ଚଳିତବର୍ଷ କମିଟି ୨୫ଲକ୍ଷ ବ୍ୟୟ ଅଟକଳ ସ୍ଥିର କରିଛି। ସାଢ଼େ ୫ଲକ୍ଷ ତୋରଣ, ୪ଲକ୍ଷ ରୂପା ଛତ୍ରୀ, ୫୦ହଜାର ମୂର୍ତ୍ତି, ୬ଲକ୍ଷ ଆଲୋକ ସାଜସଜ୍ଜା ଲାଗି ଖର୍ଚ୍ଚ କରାଯିବ ବୋଲି ସଭାପତି ପ୍ରଦୀପ ପାଢ଼ୀ ସୂଚନା ଦେଇଛନ୍ତି। ପରମ୍ପରା ଅନୁସାରେ ଷଷ୍ଠୀ ତିଥିରେ କଳସ ଯାତ୍ରା ସହ ପୂଜାରମ୍ଭ ହେବ। ଅକ୍ଟୋବର ୬ରେ ଘଟ ବିସର୍ଜନ କରାଯିବ। ବିସର୍ଜନ ଶୋଭାଯାତ୍ରାରେ କଣ୍ଢେଇ ନାଚ, ଦେବୀଦେବ ପରଭା ନାଚ, ଡିଜେ ଓ ଦୁଲଦୁଲି ବାଜା ସାମିଲ ହେବ। କମିଟି ଉପସଭାପତି ସଞ୍ଜୟ ସାହୁ, ସମ୍ପାଦକ ଶୁଭମ ମହାପାତ୍ର, ଲଟେରୀ ଅଧ୍ୟକ୍ଷ ରମାକାନ୍ତ ବେରିହା ଓ କୋଷାଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ୫୦ଜଣ ସଭ୍ୟ ଦୁର୍ଗାପୂଜା ପ୍ରସ୍ତୁତିରେ ଲାଗିଛନ୍ତି ବୋଲି ସଭାପତି କହିଛନ୍ତି। କୋଷାଧ୍ୟକ୍ଷ ସୂଚିତ କରିଛନ୍ତି, ଗୋବିନ୍ଦତୋଳା ବ୍ରିଜରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ଆଲୋକମାଳାରେ ସଜ୍ଜିତ କରାଯିବ। ୫ଟି ସୁଉଚ୍ଚ ତୋରଣ, ୪୨ଟି ପାର୍ଶ୍ୱ ତୋରଣ ଖଞ୍ଜାଯିବ। ଆଲୋକ ସାଜସଜ୍ଜାରେ ବିଭିନ୍ନ ସଚେତନାତ୍ମକ ବାର୍ତ୍ତା ଦିଆଯିବାକୁ ସ୍ଥିର କରାଯାଇଛି।