୨୦ରୁ ପୂଜା ଛୁଟି

ଭୁବନେଶ୍ୱର, ୧୩।୧୦(ଅସମାପିକା ସାହୁ) – ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ପାଇଁ ରାଜ୍ୟରେ ଆସନ୍ତା ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ପୂଜା ଛୁଟି ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୪ ତାରିଖ ଶନିବାର ମହାଳୟା ପାଇଁ ମଧ୍ୟ ସ୍କୁଲ ବନ୍ଦ ରହିବ। ପୂର୍ବରୁ ରାଜ୍ୟ ସରକାରଙ୍କ ବାର୍ଷିକ ଛୁଟି ତାଲିକାରେ ମହାଳୟା ଛୁଟି ଦିଆଯାଇ ନ ଥିଲା। ଫଳରେ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ମହାଳୟା ଦିନ ସ୍କୁଲ ଛୁଟି ଦେବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ମହାଳୟା ଏକ ପବିତ୍ର ଦିନ ଏବଂ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ। ଦ୍ୱିତୀୟ ଶନିବାର ଏହା ପଡ଼ିଥିବାରୁ ସରକାରୀ କର୍ମଚାରୀଙ୍କ ଛୁଟି ରହିବ। ତେଣୁ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଶିକ୍ଷକମାନଙ୍କର ଛୁଟି ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ମହାଳୟା ଦିନ ସ୍କୁଲ ଛୁଟି କରିବା ପାଇଁ ଓଷ୍ଟା ଅନୁରୋଧ କରିଥିଲା।