ପୁଦିନାର ଘରୋଇ ବ୍ୟବହାର

ଖରା ଏବଂ ବର୍ଷାଦିନେ ପୁଦିନା ସଞ୍ଜୀବନୀବୁଟି ଭଳି କାମ ଦେଇଥାଏ। ଗୃହିଣୀମାନେ ଏହାକୁ ଘରୋଇ ଉପାୟରେ ବହୁଳ ଭାବରେ ବ୍ୟବହାର କରିପାରିବେ..
– ପୁଦିନା ଓ ଅଦା ରସ ସହିତ ମହୁ ମିଶାଇ ଖାଇଲେ କାଶ ଭଲ ହୋଇଥାଏ।
– ପୁଦିନା ପତ୍ରକୁ ଖାଲି କିମ୍ବା ଅଳ୍ପ ନଡିଆ ସହିତ ମିଶାଇ ଖାଇଲେ ହାକୁଟି ସମସ୍ୟା ଦୂର ହୋଇଥାଏ।
– ଟନସିଲ୍‌ ସମସ୍ୟା ଥିଲେ ପୁଦିନା ରସକୁ ପାଣିରେ ମିଶାଇ ଗାର୍ଗଲିଂ କରନ୍ତୁ, ବେଶ୍‌ ଆରାମ ମିଳିବ।
– ବାହାରେ ଅଧିକ ସମୟ ଖରାରେ ବୁଲିବା ଯୋଗୁ ଯଦି ପାଦ ତଳ ପୋଡାଜଳା ହେଉଥାଏ, ତେବେ ପୁଦିନାକୁ ବାଟି ଫ୍ରିଜ୍‌ରେ ରଖିବା ପରେ ବାହାର କରି ଲଗାନ୍ତୁ।
– ଦହି କିମ୍ବା ଆମ୍ବର କଅଁଳିଆ ପତ୍ର ସହିତ ପୁଦିନାକୁ ବାଟି ପିଇଲେ ପେଟ ବିନ୍ଧା ଭଲ ହୋଇଥାଏ।
– ବିଷାକ୍ତ କୀଟ ଦଂଶନ ପରେ ସେହି ସ୍ଥାନରେ ପୁଦିନା ପେଷ୍ଟ ଲଗାଇଲେ ଆରାମ ମିଳେ।
– ୨ଟି ଲବଙ୍ଗ ସହିତ ପୁଦିନା ପତ୍ର ଓ ଅଳ୍ପ ଜିରା ମିଶାଇ ବାଟି ପିଇଲେ ଅଂଶୁଘାତରୁ ରକ୍ଷା ମିଳିଥାଏ।
– ପୁଦିନା ସହିତ ଲେମ୍ବୁ ରସ ମିଶାଇ ପିଇଲେ ଯକୃତ ସମସ୍ୟା ଭଲ ହୋଇଥାଏ।
– ପୁଦିନା ରସ ସହିତ ସୈନ୍ଧବ ଲୁଣ ମିଶାଇ ପିଇଲେ ଅଜୀର୍ଣ୍ଣ ସମସ୍ୟା ଦୂର ହୋଇଥାଏ।
– କଫ ହୋଇଥିଲେ ଉଷୁମ ପାଣିରେ ପୁଦିନା ରସ ମିଶାଇ ଦିନକୁ ୩ ଥର ପିଅନ୍ତୁ, ଆରାମ ଲାଗିବ।