ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧିରେ ଗଣଧାରଣା

ବଲାଙ୍ଗୀର ଅଫିସ,୨୩।୧୧: ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ପୁର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିକୁ ନିନ୍ଦା କରିବା ସହ ଇନ୍ଧନ ଗ୍ୟାସ ବୃଦ୍ଧି ଫଳରେ ମହିଳାମାନେ କିପରି ହଇରାଣ ହେଉଛନ୍ତି ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ପୂର୍ବତନ ପୌରପରିଷଦ ଅଧ୍ୟକ୍ଷା ସନ୍ତୋଷିନୀ ବେହେରା, ବିଜୁ ଜନତା ଦଳର ଉପସଭାପତି ଅଶୋକ ମହାନ୍ତି ଓ ଯୁବ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଜୁ ଛାତ୍ର ଦଳର ସଭାପତି ତଥା ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଗଣଧାରଣା ଓ ବିକ୍ଷୋଭରେ ସାମିଲ ହୋଇଥିଲେ।