ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି। ତିନିଦିନ ମଧ୍ୟରେ ସୋମବାର ସକାଳ ୧୧ଟା ୩୦ ସୁଧା ସମୁଦାୟ ୮୯.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାର ପ୍ରଭାବରେ ଋଷିକୁଲ୍ୟା ନଦୀର ଜଳପତ୍ତନ ବଡ଼ିବାରେ ଲାଗିଛି। ନଦୀର ଜଳପତ୍ତନ ୧୩.୩୨ମିଟର ଉଚ୍ଚତାରେ ପ୍ରବାହିତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ ସମସ୍ତ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀମାନଙ୍କୁ ସତର୍କ ରହି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ନିଜେ ନଦୀ କୂଳିଆ ବିଭିନ୍ନ ଗ୍ରାମଗୁଡ଼ିକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି।