ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଉଚ୍ଚଶବ୍ଦରେ ଦୀର୍ଘ ସମୟ ଧରି ଡିଜେ ବାଜିବା ଯୋଗୁଁ ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ବିଶେଷ ଭାବେ ହଇରାଣ ହେଉଥିବା ଅଭିଯୋଗ ହେଉଛି।

ବିଶେଷ କରି ହୃଦ୍‌ରୋଗୀ ଓ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଅତ୍ୟଧିକ ଶବ୍ଦ ଅସୁବିଧା ସୃଷ୍ଟି କରୁଛି। ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁଁ ମାନସିକ ଚାପ, ଅସ୍ଥିରତା ଓ ନିଦ୍ରାରେ ବ୍ୟାଘାତ ଭଳି ସମସ୍ୟା ଦେଖାଦେଉଥିବାରୁ ରୋଗୀଙ୍କ ପରିବାର ଚିନ୍ତା ପ୍ରକାଶ କରୁଛନ୍ତି।

ଅନ୍ୟପକ୍ଷରେ, ମେଡିକାଲ ଓ ହସ୍ପିଟାଲ ନିକଟରେ ମଧ୍ୟ ଉଚ୍ଚଶବ୍ଦରେ ଡିଜେ ବାଜିବାକୁ ନେଇ ଅସନ୍ତୋଷ ବଢ଼ିଛି। ଚିକିତ୍ସାଧୀନ ରୋଗୀଙ୍କ ଆରାମ ଓ ନିରବ ପରିବେଶ ଆବଶ୍ୟକ ଥିବା ବେଳେ ଏଭଳି ଉଚ୍ଚଶବ୍ଦ ଚିକିତ୍ସା ପରିବେଶକୁ ମଧ୍ୟ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଉଛି।

ବାଲିଗୁଡ଼ା ସହରର ବିଭିନ୍ନ ଅଞ୍ଚଳରେ ଡିଜେର ଶବ୍ଦସୀମା ଓ ସମୟସୀମା ଉପରେ କଡ଼ା ନଜର ରଖିବା ସହ ହସ୍ପିଟାଲ, ସ୍କୁଲ ଓ ଜନବସତି ନିକଟରେ ଉଚ୍ଚଶବ୍ଦରେ ଡିଜେ ବ୍ୟବହାର ରୋକିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।

Dharitri – Odisha’s No.1 Odia Daily

Share