ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା

କଟକ ଅଫିସ/ଆସିକା, ୫ା୪:(ଡି.ଏନ୍‌.ଏ):ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁର ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରିନାହିଁ। ଏପରି ସ୍ଥିତିରେ ସିବିଆଇ ତଦନ୍ତ ଦାବିରେ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ଘଟଣାର ସିବିଆଇ ତଦନ୍ତ ସହ ମୃତ ଗମାଙ୍ଗଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏଥିରେ ଦାବି ହୋଇଛି। ଉକ୍ତ ମାମଲାରେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ, ଭଞ୍ଜନଗର ଏସ୍‌ଡିପିଓ ଏବଂ ଭଞ୍ଜନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଗାଙ୍ଗପୁର ଥାନା ଆଇଆଇସି ଗମାଙ୍ଗଙ୍କ ମୃତ୍ୟୁ ସମୟରେ ସେ ସିଭିଲ ଡ୍ରେସରେ ଥାଇ ମଧ୍ୟାହ୍ନଭୋଜନ କରୁଥିଲେ। ତାଙ୍କ ନିକଟରେ ବନ୍ଧୁକ ନ ଥିଲା। ଏହି ସମୟରେ ଉଭୟ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଭଞ୍ଜନଗର ଥାନା ଆଇଆଇସି ଦିନେଶ କୁମାର ଦାସ ସେଠାରେ ଉପସ୍ଥିତ ଥିଲେ। ଗମାଙ୍ଗ ଡାହାଣହାତି ଥିବାବେଳେ ତାଙ୍କ ବାମପାଖ ପିଚାରେ ଗୁଳି ବାଜିଛି। ତେଣୁ ସେ ବାମହାତରେ ସହଜେ ନିଜ ବନ୍ଧୁକ କାଢି କଦାପି ନିଜକୁ ଗୁଳି କରିପାରିବେ ନାହିଁ। ଅନ୍ୟ କେହି ତାଙ୍କୁ ନିଶ୍ଚୟ ଗୁଳି କରିଛନ୍ତି। ଏଣୁ ଭଞ୍ଜନଗର ଏସ୍‌ଡିପିଓ ମିଶ୍ର ଏବଂ ଆଇଆଇସି ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରି ଉଭୟଙ୍କ ପଲିଗ୍ରାଫିକ ଟେଷ୍ଟ ସହ ମାମଲାର ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରେ ଦେବ କୁମାରଙ୍କ ମୃତ୍ୟୁ ଘଟିଥିଲା। ନିଜ ସର୍ଭିସ ପିସ୍ତଲରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ତେବେ ଘଟଣା ସମୟରେ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଭଞ୍ଜନଗର ଥାନା ଆଇଆଇସି ଦିନେଶ କୁମାର ଦାସ ଉପସ୍ଥିତ ଥିବା ଦେବ କୁମାରଙ୍କ ମା’ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଫଳରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଗୁଳି କିପରି ଫୁଟିଲା ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ପାରିନାହିଁ।