ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ: ଡାକ୍ତର-ଶିକ୍ଷକ-ବୟସ୍କଙ୍କୁ ପ୍ରଥମେ

ମସ୍କୋ, ୬।୧୨: କରୋନା ଲଢ଼େଇରେ ପ୍ରଥମ ଦେଶଭାବେ ରୁଷ୍‌ରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡାକ୍ତର,ଶିକ୍ଷକ ଏବଂ ବୟସ୍କଙ୍କୁ ଏହି ଟିକା ଦିଆଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କୁ ଏହା ପ୍ରଦାନ କରାଯିବ। ଦେଶରେ ବିକଶିତ ହୋଇଥିବା ‘ସ୍ପୁଟନିକ୍‌-ଭି’ର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇଥିବାରୁ ଏହାକୁ ନେଇ କେତେକ ବିଶେଷଜ୍ଞ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ୭୦ଟି ଟିକାଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହିତ ଲୋକଙ୍କୁ ଟିକା ଦିଆଯାଉଥିବା ପୁଟିନ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ଶନିବାର କିଛି ଘଣ୍ଟା ମଧ୍ୟରେ ୫ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା ମସ୍କୋର ମେୟର ସର୍ଗେଇ ସୋବ୍ୟାନିନ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତରେ ମଧ୍ୟ ରୁଷ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ‘ସ୍ପୁଟନିକ୍‌-ଭି’ର ପରୀକ୍ଷଣ ଜାରି ରହିଛି।

Share