ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ସଡ଼କରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସଭାପତି ନୀଳମାଧବ ପାତ୍ର ଅଧ୍ୟକ୍ଷତା କରିଥିଲେ। ଆସିକା ଏମ୍ପି ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡିକ ବିରୋଧରେ ବର୍ଷିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରଠାରୁ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଲୋକ ସଭାରେ ମହିଳା ସଂରକ୍ଷଣ ବିଧେୟକକୁ ବିରୋଧୀଦଳଗୁଡିକ ବିରୋଧ କରିବାରୁ ବିଲ୍ଟି କାଟ ଖାଇଯାଇଥିଲା। ଆଗାମୀ ଦିନରେ ଉକ୍ତ ବିଲ୍ ନିଶ୍ଚୟ ପାସ ହେବ। ପୁରୁଷ ପ୍ରଧାନ ସମାଜ ମାନସିକତା ଏବେବି ରହିଛି। କେହି ଆମକୁ ଆଗକୁ ଛାଡ଼ିବାକୁ ନାରାଜ। ଆମ ଅଧିକାର ମିଳିବା ପର୍ଯ୍ୟନ୍ତ ଲଢେଇ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହିଁ କେବଳ ଆମ ହକ ଆମକୁ ମିଳିପାରିବ ବୋଲି ଏମପି ଶୁଭଦର୍ଶିନୀ ତାଙ୍କ ଭାଷଣରେ କହିଥିଲେ। କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ କହିଥିଲେ ନାରୀ ବନ୍ଦନା ଅଧିନିୟମ ବିଲ ଲୋକସଭାରେ କାଟ ଖାଇବା ପରେ ବିରୋଧି ଦଳ ଗୁଡିକ ର ଯେଉଁଭଳି ଆଚରଣ ଲୋକସଭାରେ ଦେଖିବାକୁ ମିଳିଲା ତାହା ଅତ୍ୟନ୍ତ ନିନ୍ଦନୀୟ। ଭଞ୍ଜନଗର ବିଧାୟକ ତଥା ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ କହିଥିଲେ ବିଜେଡି, କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳଗୁଡ଼ିକ ମହିଳା ବିରୋଧି। ଆଗାମୀ ନିର୍ବାଚନରେ ତାହାର ଉଚିତ ଜବାବ ଦିଆଯିବ ବୋଲି ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ, ଭାଜପା ରାଜ୍ୟ ନେତ୍ରୀ ରଶ୍ମିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଭାଜପା ଉପ ସଭାପତି ସନ୍ତୋଷ ପାଳ ସଭାକୁ ସଂଯୋଜନା କରିଥିଲେ। ଏହାପୂର୍ବରୁ ହଜାର ହଜାର ମହିଳା ଏକ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ। ବିରୋଧି ଦଳମାନଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏମପି ପ୍ରତିନିଧି ସନ୍ତୋଷ ତିଆଡି,ଭାଜପା ନେତା ବିଷ୍ଠୁ ପ୍ରସାଦ ପ୍ରଧାନ, ଧବଳେଶ୍ୱର ମାଝୀ, ଭାଜପା ଭଞ୍ଜନଗର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭୋଳି ସାହୁ, ସମ୍ପାଦିକା ରେଶ୍ମା ନାୟକ, ଉପ ସଭାନେତ୍ରୀ ପ୍ରତିମା ମାହାପାତ୍ର, ବର୍ଷା ନାୟକ, ଉପ ସଭାନେତ୍ରୀ ପ୍ରତିମା ସାହୁ, ସମ୍ପାଦିକା ରେବତୀ ନାୟକ, ରୀତାରାଣୀ ମାହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସୀମା ଧନ୍ୟବାଦ ପ୍ରଦାନ କରିଥିଲେ।