‘ଭିକ୍ଷା ଥାଳି ଧରି ବୁଲୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କେହି ପଇସାଟିଏ ଦେଉନାହାନ୍ତି’

ଇସଲାମାବାଦ୍‌,,୨୨।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ‘ଭିକ୍ଷା ଥାଳ’ ଧରି ପୃଥିବୀର ବିଭିନ୍ନ ଦେଶ ଭ୍ରମଣ କରୁଛନ୍ତି, କିନ୍ତୁ କେହି ତାଙ୍କୁ ଗୋଟିଏ ପଇସାଟିଏ ମଧ୍ୟ ଦେଉ ନାହାଁନ୍ତି ବୋଲି ସେ କହିଛନ୍ତି।
ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାନ ଏକ ସାକ୍ଷାତକାରରେ କହିଛନ୍ତି, ଦେଖନ୍ତୁ ଆମଦାନୀ ହୋଇଥିବା ସରକାର ପାକିସ୍ତାନ ପାଇଁ କଣ କରିଛନ୍ତି। ଶରିଫ ଭାରତ ସହ ଆଲୋଚନା ପାଇଁ ଭିକ୍ଷା ମାଗୁଛନ୍ତି, କିନ୍ତୁ ନୂଆଦିଲ୍ଲୀ ତାଙ୍କୁ ପ୍ରଥମେ ଆତଙ୍କବାଦକୁ ସମାପ୍ତ କରିବାକୁ କହୁଛି। ଏପରି ସମ୍ପର୍କ ରଖିବା ପାଇଁ ଆତଙ୍କ ଏବଂ ହିଂସା ମୁକ୍ତ ପରିବେଶ ହେବା ଉଚିତ୍‌।
ଶରିଫଙ୍କ ସଂଯୁକ୍ତ ଆରବ ଏମିରେଟ୍ସକୁ ଦୁଇ ଦିନିଆ ଗସ୍ତର କିଛି ସପ୍ତାହ ପରେ ଇମ୍ରାନଙ୍କ ଏହି ମନ୍ତବ୍ୟ ଆସିଛି। ୟୁଏଇ ନିକଟରେ ପାକିସ୍ତାନକୁ ଏକ ବିଲିୟନ ଡଲାରର ଋଣ ଏବଂ ଏକ ବିଲିୟନ ଡ଼ଲାରର ଅତିରିକ୍ତ ଋଣ ବଢାଇବାକୁ ରାଜି ହୋଇଥିଲା। ଯାହାଫଳରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ସାହାଯ୍ୟ ମିଳିପାରିବ।

Share