ପରିିଚୟ ଦେଇଛି ଲାଲ୍‌ ଭେଣ୍ଡି ଚାଷ

ଦିନକୁ ଦିନ ଲାଲ୍‌ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ ଏହି ଭେଣ୍ଡି ବିକ୍ରି ବଢ଼ିଛି। ବିଦେଶରେ ଏହି ଭେଣ୍ଡି କେଜି ୪୦୦ ରୁ ୮୦୦ ଟଙ୍କାରେ ବିକ୍ରି ହେଉଛି। ଲାଲ୍‌ ଭେଣ୍ଡି ଖାଇବା ଦ୍ବାରା ମଧୁମେହ, ଉଚ୍ଚରକ୍ତଚାପ ଭଳି ରୋଗୀଙ୍କୁ ଉପଶମ ମିଳିଥାଏ ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର ପଞ୍ଚାୟତ ବରଜ ଗ୍ରାମର ବାଇଧର ସାମଲ ଓ ତାଙ୍କ ସ୍ତ୍ରୀ ବେଙ୍ଗ ସାମଲ ଦାବି କରିଛନ୍ତି।
ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଏହି ଦମ୍ପତି ଗତ ୪ ବର୍ଷ ହେଲା ଲାଲ ଭେଣ୍ଡି ଚାଷ କରି ଆସୁଛନ୍ତି। ପ୍ରଥମେ ସେ ୧୦ ଡିସିମିଲ ବାଲିଆ ଜମିରେ ୨ ଶହ ଚାରା ରୋପଣ କରିଥିଲେ। ଏହି କିସମର ମଞ୍ଜି ସେମାନେ କୋଲକାତାରୁ ମଗାଇଥିଲେ। ଦୈନିକ ସେମାନେ ୧୦ କେଜି ଭେଣ୍ଡି ତୋଳି ସ୍ଥାନୀୟ ରାମନଗର ବଜାରରେ କେଜି ପିଛା ୪୦ଟଙ୍କା ଦରରେ ବିକ୍ରି କରିଥାନ୍ତି। କେତେଜଣ ବ୍ୟବସାୟୀ ଆମଠୁ କମ୍‌ ଦରରେ ଭେଣ୍ଡି କିଣି ବସ୍‌ରେ କୋଲକାତା ପଠାଇ ଲାଭବାନ ହେଉଛନ୍ତି ବୋଲି ଏହି ଦମ୍ପତି କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଆମ ଭେଣ୍ଡିକୁ ପ୍ରତିଦିନ ନେବାକୁ ଆସିଥାନ୍ତି ବୋଲି ବାଇଧର କହିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଲାଲ ଭେଣ୍ଡି ଚାଷପାଇଁ ଉପଯୁକ୍ତ ତାଲିମ,ମଞ୍ଜି, ପମ୍ପସେଟ୍‌, ସ୍ପ୍ରେ ମେଶିନ୍‌ ଯୋଗାଇ ଦେଲେ ଏହି ଚାଷ ପ୍ରତି ଆଗ୍ରହ ବଢିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଜଜାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଶେଷଜ୍ଞ ପ୍ରଭଞ୍ଜନ ମିଶ୍ର ଓ କେନ୍ଦ୍ରାପଡ଼ା ଜିଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କନ୍ଦ ଜେନା କୁହନ୍ତି, ଲାଲ୍‌ ରଙ୍ଗର ଭେଣ୍ଡିରେ ଭିଟାମିନ-ଏ, ଆୟୋଡିନ ଓ ଖାଦ୍ୟସାର ସହ ଅନ୍ୟାନ୍ୟ ଭିଟାମିନ ଭରି ରହିଛି। ଏହି ଭେଣ୍ଡି ଖାଇଲେ ମଣିଷ ଶରୀରରେ ରୋଗ ପ୍ରତିଷୋଧକ କ୍ଷମତା ବୃଦ୍ଧି ପାଏ। ଏହା ମାନବ ଶରୀର ପାଇଁ ବେଶ୍‌ ଉପଯୋଗୀ। ସେହିପରି ଲାଲ୍‌ ଖଡ଼ା ଶାଗ, ସଜନା ପତ୍ର, କଳମ ଶାଗ ସମେତ ସବୁଜ ପନିପରିବା ଖାଇବା ଦ୍ୱାରା ମଣିଷ ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ। ଲାଲ ଭେଣ୍ଡି ଗଛରେ କୌଣସି ରାସାୟନିକ ସାର ନ ଦେଇ କେବଳ ଗୋବର ଖତ ଦେଲେ ଭଲ ଫସଲ ମିଳିଥାଏ ବୋଲି ଏହି କୃଷି ବିଶେଷଜ୍ଞମାନେ କହିଛନ୍ତି। ବରଜ ଗ୍ରାମର ମୁରବି ଧଡ଼ି ସାମଲ କୁହନ୍ତି, ସାଧାରଣ ଭେଣ୍ଡିଠାରୁ ଏହି ଲାଲ୍‌ ଭେଣ୍ଡିର ସ୍ବାଦ ନିଆରା। ଏଥିରେ ଔଷଧୀୟ ଗୁଣ ଥିବାରୁ ବାଇଧରଙ୍କ ଘର ଆଗରେ ଗ୍ରାହକଙ୍କ ଭିଡ଼ ଜମେ। ଜିଲା ଓ ବାହାର ଅଞ୍ଚଳର ବେପାରୀମାନେ ଭେଣ୍ଡି ନେବାକୁ ଆସିଥାନ୍ତି। ଲାଲ ଭେଣ୍ଡିରେ ପ୍ରଚୁର ପରିମାଣରେ ଜୀବସାର ରହିଛି। ତେଣୁ ରୋଗୀମାନେ ଏହାକୁ ଖାଇବା ଦ୍ବାରା ରୋଗ ଉପଶମ ହୋଇଥାଏ ବୋଲି ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି କହିଛନ୍ତି।
-ପ୍ରତାପ ସ୍ବାଇଁ