Categories: ରାଜ୍ୟ

‘ପଶ୍ଚିମ ଓଡ଼ିଶାକୁ ସାବତପୁଅ ଭଳି ବ୍ୟବହାର କରାଯାଉଛି’

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଘର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ପକ୍କା ଘର ମିଳିଲା ନାହିଁ ବୋଲି ଭାଜପା ବିଧାୟକ ନାଉରୀ ନାଏକ ଅଭିଯୋଗ କରିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସାବତପୁଅ ଭଳି ବ୍ୟବହାର କରିଛନ୍ତି ବୋଲି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାର ଲୋକ ଭିମସାର୍‌ ମେଡିକାଲ କଲେଜ ଉପରେ ନିର୍ଭର କରନ୍ତି। କିନ୍ତୁ ଏଠାରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଜିଆଇ ସର୍ଜରୀ,ନେଫ୍ରୋଲୋଜି ଡିପାର୍ଟମେଣ୍ଟରେ ବିଭାଗୀୟ ଡାକ୍ତର ନାହାନ୍ତିି। ଯଦି କଟକ ବଡ଼ ମେଡିକାଲରେ ଏକ୍‌ମୋ ମେଶିନ୍‌ ଲାଗିବ ତେବେ ଭିମ୍‌ସାରରେ କାହଁିକି ଲାଗିବନାହିଁ ବୋଲି ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ଭିମ୍‌ସାରରେ ଏକ୍‌ମୋ ମେଶିନ ଲଗାଇବା ଦାବିରେ ଆସନ୍ତା ଜୁଲାଇ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ଅଗଷ୍ଟ ୨ତାରିଖରେ ଜିଲା ତରଫରୁ ଆର୍‌ଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ଚେତାବନୀ ଦେଇଛନ୍ତି।