Categories: ଜାତୀୟ

ପ୍ରାର୍ଥୀ ତାଲିକା ଘୋଷଣା ପରେ ଭାଜପା ଅଫିସରେ ଭଙ୍ଗାରୁଜା

ଗୁଆହାଟି,୩୦।୧: ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ମଣିପୁର ନିର୍ବାଚନ ଲାଗି ଭାଜପା ପକ୍ଷରୁ ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଘୋଷଣା ପରେ ମଣିପୁରରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ କୁଶ ପୁତଳିକା ଦାହ କରିଛନ୍ତି ଭାଜପା ସମର୍ଥକ। କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଭାଜପା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଭାଜପା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିଯୋଗୁ ଇମ୍ଫାଲ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ନିର୍ବାଚନ ପାଇଁ ଟିକେଟ୍‌ ଆଶାରେ ଥିବା ଅନେକ ଆଶାୟୀ ଭାଜପାରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେଇଥିବା ଭାଜପା କର୍ମୀ ଓ ନେତାଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମଣିପୁର ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ଅତିକମ୍‌ରେ ୧୦ ପୂର୍ବତନ କଂଗ୍ରେସ ନେତା ସ୍ଥାନ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୧୭ ନିର୍ବାଚନରେ ଭାଜପା ୨୧ଟି ଆସନ ଜିତିଥିଲା। କିନ୍ତୁ ଛୋଟ ଆଞ୍ଚଳିକ ଦଳ ଏବଂ ସ୍ବାଧୀନ ବିଧାୟକଙ୍କ ସହ ମିଶି ସରକାର ଗଠନ କରିଥିଲା।

Share