ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ। ମୃତକ ରଜାମୁଣ୍ଡାର ଯୁଧିଷ୍ଠିର ନାଏକଙ୍କ ୪୨ ବର୍ଷିୟ ପୁଅ ହାଡୁ ନାଏକ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରଜାମୁଣ୍ଡା କଲ୍ୟାଣ ମଣ୍ଡପଠାରେ ଗତ ୨୦ ତାରିଖ ରାତିରେ ହାଡୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ସେ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ମଙ୍ଗଳବାର ରାତିରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଯୁବକମାନେ ହତ୍ୟା ଧମକ ଦେଇଥିବାରୁ ଭୟରେ ସେମାନେ ଘଟଣା ବିଷୟରେ କାହାକୁ ଜଣାଇ ନ ଥିଲେ। ବୁଧବାର ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏଭଳି ଅଭିଯୋଗ ଆଣି ସାହି ଲୋକଙ୍କ ସହିତ ରାସ୍ତା ଅବରୋଧ କରିଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ଯୁବକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ଦେବଗଡ଼ ଥାନା ପୋଲିସ ଏବଂ ଉପଜିଲାପାଳ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଛନ୍ତି।