ମାଡ୍ରିଡ୍, ୩୦ା୧୦: ବୁଧବାର ଏକ ଭୟାବହ ହାଇ-ସ୍ପିଡ ଟ୍ରେନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଗଟିବା ପରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେଙ୍କ ଇସ୍ତଫା ଦାବି କରି ଶତାଧିକ ବିକ୍ଷୋଭକାରୀ ପରିବହନ ମନ୍ତ୍ରଣାଳୟ ବାହାରେ ଏକତ୍ରିତ ହୋଇଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇବା ସମୟରେ ବିକ୍ଷୋଭକାରୀମାନେ ‘ଓସ୍କାର ପୁଏନ୍ତେ, ମୃତ୍ୟୁର ମନ୍ତ୍ରୀ’ ବୋଲି ନାରାବାଜି କରିଥିଲେ। ମାଡ୍ରିଡ୍ର ଦକ୍ଷିଣରେ ଥିବା ଉର୍ଦାଠାରେ ଦୁଇଟି ସ୍ପାନିଶ ହାଇ-ସ୍ପିଡ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାର ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାରକାରୀ ଦଳ ଏବେ ବି ଅନ୍ୟମାନଙ୍କୁ ଖୋଜୁଥିବା ସମୟରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି। ଚଳିତବର୍ଷ ସ୍ପେନରେ ଏହା ଦ୍ୱିତୀୟ ମର୍ମନ୍ତୁଦ ରେଳ ଦୁର୍ଘଟଣା ଏବଂ ୨୦୧୩ ପରଠାରୁ ୟୁରୋପର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ଅଟେ। ଦୁଇଟି ସ୍ପାନିଶ ହାଇ-ସ୍ପିଡ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏହି ପ୍ରତିବାଦ ହୋଇଛି, ଯେଉଁଥିରେ ଅତିକମରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଚଳିତ ବର୍ଷ ଦୁଇଟି ବଡ଼ ରେଳ ଦୁର୍ଘଟଣା ଦେଖିଥିବା ସ୍ପେନରେ ଏହି ଘଟଣା ପରେ ରେଳ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଦୁର୍ଘଟଣା ସ୍ଥଳ ନିକଟରୁ ଏକ ଟେଲିଭିଜନ ସମ୍ବୋଧନରେ କହିଛନ୍ତି ଯେ ‘ସମଗ୍ର ସ୍ପେନ’ ବର୍ତ୍ତମାନ ଶୋକ ସନ୍ତପ୍ତ। ସେ ଦୁର୍ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ କହିଛନ୍ତି ଯେ ଯଦି କୌଣସି ତ୍ରୁଟି ମିଳେ ତେବେ ତାହାର ସମାଧାନ କରାଯିବ। ସାଞ୍ଚେଜ କହିଛନ୍ତି, ଚଳିତ ବର୍ଷ ଘଟିଥିବା ଦୁଇଟିଯାକ ରେଳ ଦୁର୍ଘଟଣାର କାରଣ ପରସ୍ପର ସହ ଜଡ଼ିତ ନଥିବା ଜଣାପଡ଼ିଛି। ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ କହିଛନ୍ତି, ସାମ୍ନାରେ ଏକ ଟ୍ରେନ ଛିଡ଼ା ହୋଇ ରହିଥିବା ଏବଂ ରେଡ ସିଗନାଲ ସକ୍ରିୟ ଥିବା ସତ୍ତ୍ୱେ ଏକ ରେନଫେ ଟ୍ରେନକୁ ଯାତ୍ରା ଜାରି ରଖିବାକୁ ଅନୁମତି ମିଳିବା ପରେ ଏହି ଦୁର୍ଘଟଣା ଘଟିଛି। ଏହି ମହାବିପତ୍ତିର ତଦନ୍ତ ପ୍ରକ୍ରିୟାର ଅଂଶସ୍ବରୂପ ଦୁର୍ଘଟଣାର ସମସ୍ତ ପରିସ୍ଥିତିକୁ ବିଧିବଦ୍ଧ ଭାବେ ଯାଞ୍ଚ କରାଯିବ ବୋଲି ଆଶା କରାଯାଉଛି। ଏକ ରେଳ ନିୟନ୍ତ୍ରଣ କେନ୍ଦ୍ରରେ ପ୍ରଥମେ ବୈଷୟିକ ତ୍ରୁଟି ଏବଂ ପରେ କିଛି ମାନବୀୟ ଭୁଲ ଏହି ଭୟଙ୍କର ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି।