ନୂଆଦିଲ୍ଲୀ, ୨୬।୧୦: ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ ଏବେ ଇଟାଲୀ, ବେଲଜିୟମ ଓ ଆଲବାନିଆ ପର୍ଯ୍ୟନ୍ତ ବ୍ୟାପିଛି। ଜେନ-ଜି ପିଢ଼ି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ବଢ଼ୁଥିବା ମହଙ୍ଗା ମାଡ଼ ଏବଂ ସରକାରୀ ବଜେଟରେ ହେଉଥିବା ବ୍ୟୟକାଟ ବିରୋଧରେ ଜୋରଦାର ସ୍ବର ଉଠାଉଛନ୍ତି। ଅନେକ ସ୍ଥାନରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଫଳରେ ସରକାରୀ ସମ୍ପତ୍ତି ଓ ଦୋକାନଗୁଡ଼ିକର ବ୍ୟାପକ କ୍ଷତି ହୋଇଛି।
ଏଭଳି ଅରାଜକତା ଉପରେ ରୋକ ଲଗାଇବା ପାଇଁ ଇଟାଲୀ ଓ ଫ୍ରାନ୍ସ ସରକାର କଠୋର ପଦକ୍ଷେପ ନେବା ସହ ଆଇନରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏବେ ନାବାଳକମାନେ ରାସ୍ତାରେ ଦଙ୍ଗା କିମ୍ବା ଭଙ୍ଗାରୁଜା କଲେ, ଏଥିଯୋଗୁଁ ହୋଇଥିବା ସମ୍ପୂର୍ଣ୍ଣ କ୍ଷତିପୂରଣ ସେମାନଙ୍କ ମାତାପିତାଙ୍କୁ ନିଜ ପକେଟରୁ ଭରଣା କରିବାକୁ ପଡ଼ିବ। ଆସନ୍ତୁ, ଏ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା।
ୟୁରୋପର ବିଭିନ୍ନ ଅଞ୍ଚଳରେ ଛାତ୍ରୀଛାତ୍ର ଓ ଯୁବପିଢ଼ି ରାସ୍ତାକୁ ଓହ୍ଲାଇ ବର୍ତ୍ତମାନର ସାମାଜିକ ଓ ଆର୍ଥିକ ନୀତିକୁ ତୀବ୍ର ବିରୋଧ କରୁଛନ୍ତି। ଫ୍ରାନ୍ସରେ ୨୦୨୬ ସେପ୍ଟେମ୍ବର ଶେଷ ଭାଗରେ ପ୍ୟାରିସର ସେନ-ସେଣ୍ଟ-ଡେନିସ ଅଞ୍ଚଳର ସ୍କୁଲଗୁଡ଼ିକରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ସ୍କୁଲ କୋଠାଗୁଡ଼ିକର ଦୟନୀୟ ଅବସ୍ଥା, ଶିକ୍ଷକଙ୍କ ଘୋର ଅଭାବ ଏବଂ ଶିକ୍ଷା ବଜେଟ୍ରେ କରାଯାଇଥିବା କାଟକୁ ନେଇ ଛାତ୍ରୀଛାତ୍ରମାନେ ଅସନ୍ତୁଷ୍ଟ ଥିଲେ।
ଦେଖୁ ଦେଖୁ ଏହି ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଯାଇଥିଲା। ପରବର୍ତ୍ତୀ ସମୟରେ ଏଥିରେ ସାଧାରଣ ନାଗରିକ ଓ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ, ଇଟାଲୀରେ ମଧ୍ୟ କମ ଦରମା, ଘରଭଡ଼ାରେ ବୃଦ୍ଧି ଏବଂ ସର୍ବସାଧାରଣ ସେବାର ଦୁରବସ୍ଥାକୁ ନେଇ ବିରୋଧ ପ୍ରଦର୍ଶନ ତୀବ୍ର ହୋଇଛି। ମିଲାନ ସମେତ ଅନେକ ବଡ଼ ସହରରେ ପ୍ରଦର୍ଶନ ସମୟରେ କାଚ ଭଙ୍ଗାଯିବା, ଦୋକାନରେ ଲୁଟ୍ପାଟ ଏବଂ ପୋଲିସ ସହ ହିଂସାତ୍ମକ ସଂଘର୍ଷ ଘଟିଥିବା ଖବର ମିଳିଛି।