ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି। ବ୍ରିଟେନ୍‌ର ବ୍ରାଡଫୋର୍ଡସ୍ଥିତ ପାକିସ୍ତାନୀ ବାଣିଜି୍ୟକ ଦୂତାବାସ ସମ୍ମୁଖରେ ମଙ୍ଗଳବାର କଶ୍ମୀରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଓକେରେ ମାନବାଧିକାର ବ୍ୟାପକ ଉଲ୍ଲଂଘନ ହେଉଥିବାରୁ ୩୦ ଜଣ ବ୍ରିଟିଶ ଏମ୍‌ପି ଉଦ୍‌ବେଗ ପ୍ରକାଶ କରିବା ସହ କୂଟନୈତିକ ହସ୍ତକ୍ଷେପ ପାଇଁ ଆହ୍ବାନ ଦେଇଥିଲେ।
ପିଓକେରେ ଅଟା ଓ ବିଜୁଳିରେ ସବ୍‌ସିଡି ଦାବିରେ ଆଓ୍ବାମୀ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି (ଜେଏଏସି) ପକ୍ଷରୁ ବିକ୍ଷୋଭ ଚାଲିଥିବାବେଳେ ସୁରକ୍ଷା ବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିକ୍ଷୋଭକାରୀଙ୍କ ଉପରେ ପାକ୍‌ କର୍ତ୍ତୃପକ୍ଷଙ୍କ ଦମନଲୀଳାକୁ ବିରୋଧ କରି ପାକିସ୍ତାନୀ କନ୍‌ସୁଲେଟ୍‌ ବାହାରେ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ରାଓଲପିଣ୍ଡିରେ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ଗୁଳିରେ ଅନେକ ଲୋକ ମୃତାହତ ହୋଇଥିବା ବିକ୍ଷୋଭକାରୀ ପ୍ରବାସୀ କଶ୍ମୀରୀମାନେ ଅଭିଯୋଗ କରିଛନ୍ତି।
ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ସୁରକ୍ଷା ବଳ ଗୁଳିରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ମିଳିତ ଆଓ୍ବାମୀ ଆକ୍ସନ କମିଟିର ସଦସ୍ୟମାନେ ଏହାର ପ୍ରତିବାଦରେ ମଙ୍ଗଳବାର ବିକ୍ଷୋଭ କରିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆନ୍ଦୋଳନକାରୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଉକ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି, ଯାହା ସ୍ଥିତିକୁ ଆହୁରି ଖରାପ କରିଦେଇଛି। ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ହିଂସା ଓ ଅଶାନ୍ତି ବଢ଼ୁଛି। ଶତାଧିକ ପାକିସ୍ତାନ ବିରୋଧୀ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଭିମ୍ବର ଏବଂ କୋଟଲି ଭଳି ସହରରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

 

Odisha’s No.1 Odia Daily

Share