ଜୀବନ, ଜୀବିକା ସୁରକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୮-ବାଲେଶ୍ୱର ଫକୀରମୋହନ ଗୋଲେଇରେ କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ଦାବିରେ ଉତ୍କଳ ମହିଳା ସମିତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ନ୍ୟାଶନାଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆନ ଓମେନ୍‌ସ୍‌ ତରଫରୁ ଶତାଧିକ ମହିଳା ଶୁକ୍ରବାର ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡିକ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧି ବନ୍ଦ କରିବା, ପେଟ୍ରୋଲ୍‌, ଡିଜେଲ୍‌ ଓ ଜାଳେଣି ଗ୍ୟାସ୍‌ର ଦରହ୍ରାସ କରିବା, ମହିଳାମାନଙ୍କୁ ସନ୍ଧ୍ୟା ପରେ କାରଖାନାମାନଙ୍କରେ କାମ ନ କରାଇବା, ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କକୁ କାର୍ଯ୍ୟକ୍ଷମ କରିବା, ନାରୀ ନିର୍ଯ୍ୟାତନାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସାଧାରଣ ନିର୍ବାଚନରେ ମହିଳାମାନଙ୍କୁ ୩୩ ଭାଗ ସଂରକ୍ଷଣ ଦେବା ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ କରୋନା ସଂକଟରେ ଋଣ ଟଙ୍କା ଆଦାୟ ବନ୍ଦ କରିବା ଆଦି ଅନ୍ତର୍ଭୁକ୍ତ। ମହିଳା ସଙ୍ଗଠନ ତରଫରୁ ବନ୍ଦନା ବିଶ୍ୱାସ, ସନ୍ଧ୍ୟା ଦାସ ମଜୁମଦାର, ହରପ୍ରିୟା ଜେନା, ସୁହାଗି ମାଝି, ଶାନ୍ତି ମିଶ୍ର, ଗୁରୁବାରୀ ମାରାଣ୍ଡି, ଆରତୀ ସୋରେନ୍‌, ସୁମିତ୍ରା ସୋରେନ୍‌ ଓ ନିରୁପମା ପାଣ୍ଡିଆ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବିଭିନ୍ନ ସାମାଜିକ ଓ ଗଣ ସଙ୍ଗଠନ ତରଫରୁ ମହିଳାମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ନିକୁଞ୍ଜ ବସନ୍ତ ରାୟ, ବେଣୁଧର ବାରିକ୍‌, ରମେଶ ଚନ୍ଦ୍ର ପତି ଓ ଯତିନ୍‌ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।