କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ ଭିତରେ ଶୃଙ୍ଖଳା ରଖିବା ଜରୁରୀ। ଆନ୍ଦୋଳନ ଓ ଶାନ୍ତି ମଧ୍ୟରେ ସନ୍ତୁଳନ ରଖିବାକୁ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଦିଲ୍ଲୀ ଓ ଅନ୍ୟ କେତେକ ସ୍ଥାନରେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ ବଳପ୍ରୟୋଗକୁ ବିରୋଧ କରି ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିଶନ୍‌ ଦାଏର ହୋଇଥିବାବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଏବଂ ଭି. ମୋହନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଉପରୋକ୍ତ ଟିପ୍ପଣୀ ଦେବା ସହ ପରବର୍ତ୍ତୀ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ମନୋଜ ଝା’ଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ପିଟିଶନ ଦାଏର କରିଥିଲେ। ଆନ୍ଦୋଳନ କରିବା ଅଧିକାର, ଶାନ୍ତିପୂର୍ଣ୍ଣ ବିକ୍ଷୋଭ, ଆଇନଗତ ପ୍ରତିବାଦ କରିବାର ଅଧିକାର ସମ୍ବିଧାନ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରାଯାଇଛି। ଯେପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି, କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ବା ପ୍ରଶାସନ ପକ୍ଷରୁ ଅତ୍ୟଧିକ ବଳପ୍ରୟୋଗ କରାଯାଇପାରିବ ନାହିଁ ବୋଲି ସିଜେଆଇ କହିଛନ୍ତି। ଏକ ଆଚରଣ ବ୍ୟବସ୍ଥା ରହିବା ଆବଶ୍ୟକ। ଯଦି ଆନ୍ଦୋଳନକାରୀ ଗୋଟିଏ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କୁ ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବା ଆବଶ୍ୟକ। ଏଥିରେ କୌଣସି କଟକଣା କିମ୍ବା ପ୍ରତିବନ୍ଧକ ରହିବା ଉଚିତ ନୁହେଁ। କିନ୍ତୁ ଯଦି ଅନ୍ୟ କେହି ଅସାମାଜିକ ତତ୍ତ୍ୱ କିଛି ଭୁଲ୍‌ କରୁଥାନ୍ତି, ତେବେ ତାହାର ନିଶ୍ଚିତ ସମାଧାନ କରାଯାଇପାରିବ। କୌଣସି ପକ୍ଷ ଏହାକୁ ପ୍ରତିକୂଳ ଭାବେ ନେବା ଉଚିତ ନୁହେଁ ବୋଲି ସିଜେଆଇ ପରାମର୍ଶ ଦେଇଛନ୍ତି। ଯଦି ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟଧିକ ବଳପ୍ରୟୋଗ କରିଥାଏ, ତାହାର ନିରପେକ୍ଷ ତଦନ୍ତ କରାଯାଇ ଏଥିପାଇଁ କିଏ ଦାୟୀ ତାହା ଯାଞ୍ଚ କରାଯିବା ଦରକାର। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ କି ପ୍ରତିକାର ବ୍ୟବସ୍ଥା ଓ ବାଧ୍ୟତାମୂଳକ ମାର୍ଗଦର୍ଶିକା ରହିଛି, ତାହା ଜାଣିବା ଆବଶ୍ୟକ ବୋଲି ସିଜେଆଇ କହିଛନ୍ତି।

 

Dharitri – Odisha’s No.1 Odia Daily

Share
Tags: supremecourt