ନଦୀରେ ପାଇପ୍‌ ଲାଇନ୍‌ ସଂଯୋଗୀକରଣକୁ ବିରୋଧ

ଯୋଡ଼ା,୨୯।୬(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ସହରର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀରେ ମେଶିନ ଲଗାଇ ଖୋଳି ଏକ କମ୍ପାନୀ ପକ୍ଷରୁ ସ୍ଲରି ପାଇପ ଲାଇନ ସଂଯୋଗ କାର୍ଯ୍ୟକୁ ଯୋଡ଼ା ଟ୍ରକ ମାଲିକ ସଂଘ, ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ବିରୋଧ କରାଯାଇ ପାଇପ ଲାଇନ ସଂଯୋଗ କାର୍ଯ୍ୟ ବନ୍ଦ କରାଯାଇଥିଲା। ଏଥିଲେ ଯୋଡ଼ାର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।
ଓ କାରୋ ନଦୀ ବଞ୍ଚାଅ ଅଭିଯାନର ଆବାହକ ଅଶୋକ ଠକ୍କର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନଦୀରେ ମେଶିନ ଲଗାଇ ପାଇପ୍‌ଲାଇନ ସଂଯୋଗ ଖବର ପାଇବା ପରେ ଯୋଡ଼ାବାସୀଙ୍କ ସମର୍ଥନରେ ବିରୋଧ କରାଯାଇଥିଲା। ସୁନା ନଦୀରେ ଏହି କାର୍ଯ୍ୟ କରିବା ପାଇଁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଛି କି ବୋଲି ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁଙ୍କ ସହ କଥା ହୋଇଥିଲେ। ଏବଂ ଏଥି ପାଇଁ ପରିବେଶୀୟ ଅନୁମତି ମିଳିଛି କି ବୋଲି ପ୍ରଶ୍ନ କରିଥିବା ଆବାହକ ଠକ୍କର କହିଥିଲେ। ତେବେ ପୋରାଧ୍ୟକ୍ଷ ସାହୁ ଏହାର ଠିକ ଭାବେ ଉତ୍ତର ଦେଇ ପାରି ନାହାନ୍ତି। କେବଳ ପୌରାଞ୍ଚଳରେ ରାସ୍ତାକଡ଼ରେ ମାଟି ଖୋଳି ପାଇପ ଲାଇନ ସଂଯୋଗ କରିବା ପାଇଁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା ଏବଂ ଏଥିପାଇଁ ସଂପୃକ୍ତ କମ୍ପାନୀ ପକ୍ଷରୁ ୪୦ଲକ୍ଷ ଟଙ୍କା ପୈଠ କରାଯାଇଥିବା ଯୋଡ଼ା ପୌରାଧ୍ୟାକ୍ଷ ସାହୁ କହିଥିବା ଠକ୍କର ସୂଚନା ଦେଇଛନ୍ତି। ସୁନା ନଦୀର ସୁରକ୍ଷା ପାଇଁ ଏକ ବଡ଼ ଧରଣର ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି ବୋଲି ଆବାହକ ଠକ୍କର କହିଛନ୍ତି। ଏଥିରେ ଏହି ନଦୀ ଜଳକୁ ବ୍ୟବହାର କରୁଥିବା ଯୋଡ଼ା ବ୍ଲକର ସମସ୍ତ ଜନସାଧାରଣ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ଏ ନେଇ ସେ ଓଡ଼ିଶା ନଦୀ ସୁରକ୍ଷା କମିଟିଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି। ଆବଶ୍ୟକ ପଡିଲେ ଆଇନର ସାହାଯ୍ୟ ମଧ୍ୟ ନିଆଯିବ ଏବଂ ଏହି ପ୍ରକଳ୍ପକୁ ଅନୁମତି ନ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି। ଦୁଇ ଦିନ ଧରି ବଡ଼ ବଡ ମେଶିିନ ଲଗାଇ ନଦୀରେ ମାଟି ଖୋଳି ସ୍ଲରି ପାଇପ ଲାଇନ ସଂଯୋଗ କରୁଥିବା ଖବର ଯୋଡ଼ା ଟ୍ରକ ମାଲିକ ସଂଘ ଜାଣି ପାରି ସୋମବାର ଅପରାହ୍ନରେ ଏହି କାର୍ଯ୍ୟ ବନ୍ଦ କରିଥିଲେ। ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ସଂପାଦକ ସୁଶାନ୍ତ ବାରିକ କହିଛନ୍ତି।