ଲୋକଙ୍କ ଅଭିନବ ପ୍ରତିବାଦ: କାଦୁଅ ରାସ୍ତାରେ ଧାନ ବୁଣିଲେ

ସୋର, ୨୮ା୬(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସକ ଯାଏ କେହି ନ ଶୁଣିବାରୁ ଉପାୟଶୂନ୍ୟ ହୋଇ ଗାଁ ଲୋକେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ଅଧୀନ ମୁଳିସିଂ ପଞ୍ଚାୟତରେ। ମୁଳିସିଂ ପଞ୍ଚାୟତର ୧ନମ୍ବର ୱାର୍ଡ଼ ତଳ ମୁଳିସିଂ ଗ୍ରାମର ଷଡ଼ଙ୍ଗୀ ପୋଖରୀଠାରୁ ମୁଣ୍ଡଳ ସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୈର୍ଘ୍ୟ ପ୍ରାୟ ୧ କି.ମି.। ଏହି ରାସ୍ତା ଉପରେ ୨୦ଟି ପରିବାର ନିର୍ଭର କରନ୍ତି। ଅସରାଏ ବର୍ଷା ହେଲେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ। ଏପରିକି ଏହି ଗାଁକୁ ସବୁଦିନିଆ ରାସ୍ତା ନ ଥିବାରୁ ରୋଗୀକୁ ନେବା ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ ତ କୌଣସି ଦୈବୀ ଦୁବିର୍ର୍ପାକ ହେଲେ ଦମକଳ ଗାଁ ଭିତରକୁ ପଶିପାରେ ନାହିଁ । ଆଉ ଅସରାଏ ବର୍ଷା ହେଲେ ପିଲାଙ୍କର ସ୍କୁଲ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଏମିତିକି ଗର୍ଭବତୀ, ବୃଦ୍ଧା, ବୃଦ୍ଧଙ୍କୁ ଆବଶ୍ୟକ ସମୟରେ ମେଡ଼ିକାଲ ନେବାକୁ ହେଲେ ଖଟିଆରେ ଭାର କରି ବୋହିନେବାର ନଜିର ରହିଛି। ୨୦୦୨ରେ ତକତ୍ାଳୀନ ବାଲେଶ୍ୱର ଏମ୍‌ପିଙ୍କର ହାତପାଣ୍ଠିରୁ ମାଟି ପଡି଼ ରାସ୍ତାର ଛାଞ୍ଚ ନିର୍ମାଣ ହୋଇଥିଲା । ଦୀର୍ଘ ୧୮ବର୍ଷ ବିତିଯାଇଥିଲେ ହେଁ ଏହି ରାସ୍ତା ଉପରେ ଆଉ କାହାରି ଶୁଭଦୃଷ୍ଟି ପଡ଼ିପାରିଲା ନାହିଁ। ଏହି ଗାଁକୁ ସବୁଦିନିଆ ରାସ୍ତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲା ବେଳେ କେହି କର୍ଣ୍ଣପାତ କରୁ ନ ଥିବାରୁ ଆଣ୍ଠୁଏ କାଦୁଅ ରାସ୍ତାରେ ଲୋକେ ବିହନ ବୁଣି ପ୍ରଶାସନର ଅପାରଗତାକୁ ପଦାରେ ପକାଇଛନ୍ତି।