ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୨: ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରି ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାର ନିଷ୍ପିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗଦଖଲ କରିଆସୁଥିବା ଚାଷଜମି ଓ ବାସଜମି ଦଖଲଦାରଙ୍କୁ ପଟ୍ଟା ଦେବା, ସରକାରୀ ଉଦ୍ୟୋଗରେ ଜରପଡା ଠାରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବା ଦାବିରେ କୃଷକ ଓ କୃଷିଜମି ସୁରକ୍ଷା କମିଟି, ଜେରେଙ୍ଗ-ଭାଗୀରଥିପୁର ପକ୍ଷରୁ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନୁଗୋଳ ଷ୍ଟାଡିୟମ୍‌ ପଡିଆଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ଥିଲା। କମିଟି ସଭାପତି ଆର୍ତ୍ତତ୍ରାଣ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସମ୍ପାଦକ ଭରତ ନାଏକ, ଉପସଭାପତି ଚରଣ ବେହେରା, ମଣି ନାଏକ, ଚିରନ ପାଣି, ବିଶ୍ୱନାଥ ନାଏକଙ୍କ ସହ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଜେରେଙ୍ଗ ଦେହୁରୀସାହି ପଞ୍ଚାୟତର ଭାଗୀରଥିପୁର ମୌଜା, ଦୁର୍ଗାପୁର ପଞ୍ଚାୟତର ପାଣସାହି ମୌଜା, ଜରପଡା ପଞ୍ଚାୟତର କୁମୁରସିଙ୍ଗ ମୌଜାରେ ପ୍ରସ୍ତାବିତ କୋଇଲା ଡିପୋ, କୋଲ୍‌ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଦାବି କରିଥିଲେ। କୌଣସି ପ୍ରକାର ପଲ୍ଲିସଭା, ଗ୍ରାମସଭା ନ କରି ଦୀର୍ଘଦିନରୁ ଦଖଲ କରିଆସୁଥିବା ଚାଷଜମି, ଜଙ୍ଗଲ, ଗୋଚର ଆଦି ପୁଞ୍ଜିପତିମାନଙ୍କୁ ଟେକିଦେବା ପାଇଁ ପ୍ରଶାସନିକ କଳ ଯେଭଳି ତତ୍ପରତା ପ୍ରକାଶ କରୁଛି ତାହାକୁ ଦୃଢ଼ ନିନ୍ଦା କରିଥିଲେ। ଶେଷରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ଦଳ ଯାଇ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ବାତିଲ ନ କଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି।