ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା

କାବୁଲ,୭ ।୯: ଆଫଗାନିସ୍ତାନର ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡିଛି । ନିକଟରେ ନର୍ଦନ ଆଲାୟଂସର ସେନାଙ୍କ ବିରୋଧରେ ପାକିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ହୋଇଛି । ସୋମବାର ରାତିରେ କାବୁଲରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଫଗାନୀ ମହିଳାମାନେ ଆଇଏସ୍‌ଆଇ ମୁଖ୍ୟ ଓ ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀ ପାକିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ ସହ ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦଙ୍କୁ ଫେରିଯିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ପାକିସ୍ତାନକୁ ବିରୋଧ କରାଯାଇ ଆସୁଥିବା ବେଳେ ପ୍ରଥମ ଥର ରାତିରେ ମହିଳାମାନେ ପାକିସ୍ତାନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ପୂର୍ବରୁ ଇରାନ ବି ପାକିସ୍ତାନ ବାୟୁସେନାର ଆକ୍ରମଣକୁ ବିରୋଧ କରିବା ସହ ଆଫଗାନିସ୍ତାନରେ ବାହାର ଦେଶର ଦଖଲକୁ ନେଇ ଆପତ୍ତି କରିଥିଲା ।

Share