ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ବିକ୍ଷୋଭ

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ୨ ତାରିଖ ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ଓ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତା ତାଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ନେଇ ମହାପାତ୍ର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ଉପନଗରପାଳ ଭୋଜ ମଧ୍ୟ ତାଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଓ ଅଭିଷେକ ମିଶ୍ର ମାଡ଼ ମାରିବା ସହିତ ଆକ୍ରମଣ କରିବା ହତ୍ୟା ଧମକ ଏବଂ ଜାତିଆଣ ଆକ୍ଷେପ ସହିତ ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ । ଉକ୍ତ ଘଟଣାରେ ଶୁକ୍ରବାର ଉପନଗରପାଳ ଭୋଜ ଓ ସ୍ବାଧୀନ କାଉନସିଲର ଦେବତାଙ୍କୁ ଉକ୍ତ ଘଟଣାରେ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା । ଏ ନେଇ ସେ ପାଲଟା ଅଭିଯୋଗ ପରେ ମଧ୍ୟ ଆଜିକୁ ୮ଦିନ ବିତି ଯାଇଥିଲେ ହେଁ ପୋଲିସ ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀଙ୍କୁ ଗିରଫ କରି ନାହିଁ। ଏହି ଘଟଣାରେ ମଙ୍ଗଳବାର ଉପନଗରପାଳ ପ୍ରଜିତ ଭୋଜ ଓ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନଗରପରିକ୍ରମା କରିବା ସହ ଏସ୍‌ଡିପିଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ପୌରପରିଷଦ ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଓ ପୌର କର୍ମଚାରୀ ଅଭିଷେକ ମିଶ୍ରଙ୍କୁ ଗିରଫ ଦାବିରେ ଏସ୍‌ଡିପିଓ ଅନୀଲ କୁମାର ବେଉରିଆଙ୍କ ଜରିଆରେ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ସେମାନଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।