ହାଟଡିହୀ,୨୪।୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପଡିଛି। ଫଳରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନେ ବିଦ୍ୟାଳୟ ବାହାରେ ଫାଟକ ସମ୍ମୁଖରେ ତଳେ ବସିଛନ୍ତି । ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି । ଏ ବାବଦରେ ହାଟଡିହୀ ବିଇଓ ରାଜୀବ ଦଳେଇଙ୍କୁ ପଚାରିବାରୁ ଏପରି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି କି କେହି ତାଙ୍କୁ ଜଣେଇ ନାହାଁନ୍ତି ବୋଲି କହିଛନ୍ତି । ତେବେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପଡିବା, ଛାତ୍ରୀଛାତ୍ର ମାନେ ବାହାରେ ଖୋଲା ଆକାଶ ତଳେ ବସିବା ସମ୍ପର୍କରେ ଖୋଦ ବିଇଓ ଜାଣି ନ ପାରିବା ତାଙ୍କର ଦାୟିତ୍ୱ ଏବଂ କାର୍ଯ୍ୟ ଦକ୍ଷତାକୁ ପଦାରେ ପକାଇଛିl ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ପରି ଏହି ବ୍ଲକ ଅଞ୍ଚଳରେ ଶିକ୍ଷାଦାନ ବ୍ୟବସ୍ଥା କିପରି ଅଛି ତାହା ସହଜେ ଉକ୍ତ ଘଟଣାରୁ ଅନୁମାନ କରି ହେବ । ସୂଚନା ଯୋଗ୍ୟ, ଏହି ବିଦ୍ୟାଳୟରେ ମୋଟ ୮ଟି ଶ୍ରେଣୀ ଏବଂ ଶିଶୁ ବାଟିକା ଅଛି। ୨୧୪ ଜଣ ଛାତ୍ରୀଛାତ୍ର ଏଠାରେ ଅଧୟନ କରୁଛନ୍ତି ।ପୂର୍ବରୁ ଏଠାରେ ୯ ଜଣ ଶିକ୍ଷକ ଥିଲେ। ଏବେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି। ଫଳରେ ଅଭିଭାବକ ଏବଂ ଗ୍ରାମବାସୀ ମାନେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଛନ୍ତି।

