ନିୟମଗିରି ପାଦଦେଶରେ ଆଦିବାସୀଙ୍କ ମେଳି

ମୁନିଗୁଡା,୧।୯(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ପୋଲିସ ନିରୀହ ଆଦିବାସୀଙ୍କୁ ଉଠାଇନେଇ ନିର୍ଯାତନା ଦେବା ସହ ମିଥ୍ୟା ମାମଲାରେ ଛନ୍ଦି ଜେଲ ପଠାଉଥିବା ଘଟଣାକୁ ନେଇ ନିୟମଗିରି ପାଦଦେଶରେ ଥିବା ଡଙ୍ଗରିଆଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ରାୟଗଡ଼ା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ଶକଟା ଗ୍ରାମ ନିକଟରେ ଥିବା ନ୍ୟୁ ହୋପ ହାଉସ୍‌ଠାରେ ଡଙ୍ଗରିଆ ଆଦିବାସୀଙ୍କ ମେଳି ଅନୁଷ୍ଠିତ ହୋଇଯାଇଛି।

ମେଳିରେ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକ ତଥା କଳାହାଣ୍ଡି ଜିଲା ବିଶ୍ବନାଥପୁର ବ୍ଲକରେ ଥିବା ନିୟମଗିର ପର୍ବତରେ ବସବାସ କରୁଥିବା କୁର୍ଲୀ, ଖମ୍ବେସି, ଶକଟା, ଗାଇଲଙ୍ଗା, ଲାଖପଦର, ଡଙ୍ଗାମାଟି, ଲମା, ଗୁମା, ପାକେରି, ନିରଗୁଣ୍ଡି, ଗରଠା, ଧାମନପଙ୍ଗା, ସୁଟାଗୁଣି ଓ ମଣ୍ଡା ଭଳି ପ୍ରାୟ ୧୧୨ଖଣ୍ଡ ଗ୍ରାମର ୧ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗଦେଇଥିଲେ।

ମେଳିରେ ପୋଲିସ ଜଳ, ଜଙ୍ଗଲ, ଜମି ଓ ପରିବେଶ ପାଇଁ କାମ କରୁଥିବା ନିରୀହ ଲୋକଙ୍କୁ ଜୁଲମ କରୁଥିବା ଅଭିଯୋଗ ଆଣିବା ସହ ଜେଲରେ ଭର୍ତ୍ତି କରିଥିବା ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ପୋଲିସ ଆଉ କାହାକୁ ଉଠାଇ ନିଏ, ତେବେ ସମସ୍ତେ ଏକଜୁଟ ହୋଇ ଜେଲ୍‌ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ନିୟମଗିର ସୁରକ୍ଷା ସମିତିର ଯୁବ ସଂଗଠନ ସମ୍ପାଦକ ଦାସୁରୁ କାଡ୍ରାକା କହିଛନ୍ତି । ବୈଠକରେ ଦାସୁରୁ କାଡ୍ରାକାଙ୍କ ସମେତ ଦଧି ପୁଷିକା, କୁଡୁଞ୍ଜି କୁଟ୍ରୁକା, ଦଧି ସିକ୍‌କା, ସାଇଟ ପୁସିକା, ମାନୁ ସିକକା ସୁବାରାଓ ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ ।