ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ ଏବଂ କାର୍ଯ୍ୟାଳୟର ସମସ୍ୟାକୁ ନେଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଧବାର ଅପରାହ୍ନ ସାଢେ ୪ ରୁ ସାଢେ ୬ଟା ଯାଏ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବାର ଆନ୍ଦୋଳନ ଓ ଗଣଧାରଣା ଦିଆଯାଇଥିଲା। ଦୀର୍ଘ ୨ ମାସ ହେଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଅବସରକାଳୀନ ଓ ମୃତ୍ୟୁକାଳୀନ ପ୍ରାପ୍ୟ ଅର୍ଥରାଶି ମଞ୍ଜୁରରେ ଅହେତୁକ ବିଳମ୍ବ କରାଯାଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏଥିସହିତ କାର୍ଯ୍ୟାଳୟର କିରାଣୀ ବିଷ୍ଣୁ ପାଢ଼ୀ ଶିକ୍ଷକମାନଙ୍କୁ ହଇରାଣ ହରକତ କରୁଥିବା, ଭ୍ରମରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଶବରଙ୍କୁ ବାରମ୍ବାର ନୋଟିସ ଓ ନିଲମ୍ବନ ଧମକ ଦିଆଯାଉଥିବା ଏବଂ ସିଦ୍ଧେଶ୍ୱର ହାଇସ୍କୁଲ ଶିକ୍ଷୟତ୍ରୀ ସୁଜାତା ପଣ୍ଡାଙ୍କ ଚିକିତ୍ସା ଜନିତ ଛୁଟି ମଞ୍ଜୁର କରାନଯିବାରୁ ସେ ଗତ ସେପ୍ଟେମ୍ବର ୨୮ରେ ମୃତ୍ୟୁବରଣ କରିଥିବା ଭଳି ଗୁରୁତର ଅଭିଯୋଗ ସଂଘ ଆଣିଛି।

ଗତ ୧ ତାରିଖରେ ସଂଘର କର୍ମକର୍ତ୍ତାମାନେ ବିଭିନ୍ନ ସମସ୍ୟା ନେଇ ବିଇଓଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆକ୍ରୋଶମୂଳକ ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ରାଜେନ୍ଦ୍ର କୁମାର ଗୌଡ଼, ଶିବରାମ ପ୍ରଧାନ, ଶଙ୍କର ସେଠୀ, ଇ. ସିମାଦ୍ରୀ ପାତ୍ର ଏବଂ ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ଇ. ଗଣେଷ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାରି ପ୍ରତିବାଦରେ ଶତାଧିକ ଶିକ୍ଷକ-ଶିକ୍ଷୟତ୍ରୀ ଧାରଣା ଦେଇଥିବା ବେଳେ ସଂଘ ସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସଭାରେ ଉଦବୋଧନ ଦେଇଥିଲେ। ପରେ ଗୋଷ୍ଠୀ ଶିକ୍ଷାଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିକ୍ଷକ ପ୍ରତିନିଧିଦଳ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ମାସର ପ୍ରଥମ ଓ ଶେଷ ଶନିବାର ଶିକ୍ଷକମାନଙ୍କ ଅଭିଯୋଗ ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ ପ୍ରସ୍ତୁତ କରାଯିବା, ୫ ଜଣ ଶିକ୍ଷକ ନେତାଙ୍କୁ ଜାରି ନୋଟିସ ପ୍ରତ୍ୟାହାର କରିବା ଏବଂ ଅନ୍ୟାନ୍ୟ ଦାବିର ଶୀଘ୍ର ସମାଧାନ ପାଇଁ ବିଇଓ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି।

Dharitri – Odisha’s No.1 Odia Daily

Share