କୋଟିଆରେ ନାଲକୋ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନକୁ ବିରୋଧ: ନିରାଶ ହୋଇ ଫେରିଲେ ଅଧିକାରୀ-ରାଜନେତା

ପଟ୍ଟାଙ୍ଗି, ୨୩।୧୧ (ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଟାଉପଦର ତଥା ଥୁରିଆ ଛକରେ ନାଲକୋ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଉଦ୍ୟମକୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ। ବିରୋଧ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘଟନୀ କାର୍ଯ୍ୟକ୍ରମ ହୋଇପାରି ନ ଥିବା ବେଳେ ନାଲକୋ ଅଧିକାରୀ ଓ ଦୁଇ ରାଜନେତା ନିରାଶ ହୋଇ ଫେରିଛନ୍ତି।

ସୂଚନା ଅନୁସାରେ, ସୋମବାର ନାଲକୋ ଫାଉଣ୍ଡେସନର ପ୍ରସ୍ତାବ କ୍ରମେ ଏକ ଭଡ଼ା ଘରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଥିଲା। ଏହି ସମୟରେ ସେରୁ ବନ୍ଧ ସୁରକ୍ଷା ସମିତିର ଅନେକ କ୍ଷତିଗ୍ରସ୍ତ ପରିବାର ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏଠାରେ ନାଲକୋର କୌଣସି କାର୍ଯ୍ୟ ହେବା ଉଚିତ ନୁହେଁ ବୋଲି କହିବା ସହ ‘ନାଲକୋ ଗୋ ବ୍ୟାକ’ ନାରା ଦେଇଥିଲେ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଆସିଥିବା କର୍ମଚାରୀଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା।ସ୍‌

ପରିସ୍ଥିତିକୁ ନେଇ ଆଲୋଚନା କରିବା ପାଇଁ ବିକ୍ଷୋଭକାରୀଙ୍କ ପରାମର୍ଶ କ୍ରମେ ଉପସ୍ଥିତ କର୍ମଚାରୀ ନାଲକୋ ଅଧିକାରୀଙ୍କୁ ଡକାଇଥିଲେ। ଖବର ପାଇ ନାଲକୋର ଇଡି ଅମ୍ରେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଆଲୋଚନା ପାଇଁ କେହି ଆଗକୁ ଆସି ନ ଥିବାରୁ ସ୍ଥିତିରେ ସୁଧାର ଆସିପାରିନଥିଲା।

ଏହି ସମୟରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ରଞ୍ଜିତ ପାଙ୍ଗି କୌଣସି କାର୍ଯ୍ୟରେ ସେହି ରାସ୍ତା ଦେଇ ଯାଉଥିଲେ। ନାଲକୋ କର୍ମଚାରୀ ସେମାନଙ୍କୁ ଅଟକାଇ ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ବୁଝାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ବିକ୍ଷୋଭକାରୀମାନେ ଉଭୟଙ୍କୁ ମଧ୍ୟ ବିରୋଧ କରି ବିଭିନ୍ନ ନାରାବାଜି କରିଥିଲେ। ଫଳରେ ନାଲକୋ ଅଧିକାରୀଙ୍କ ସହ ଉଭୟ ରାଜନେତା ମଧ୍ୟ ଘଟଣାସ୍ଥଳରୁ ଫେରିଯାଇଥିଲେ।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ଚିଠି ମାଧ୍ୟମରେ ନାଲକୋକୁ ଅନୁମତି ମିଳିଥିବା କୁହାଯାଇଛି। ଏହି ଅନୁମତି ଆଧାରରେ ନାଲକୋ ଉକ୍ତ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନେଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ଯୋଜନା ଆରମ୍ଭ ହୋଇପାରିନାହିଁ।

 

Dharitri – Odisha’s No.1 Odia Daily

 

 

Share